ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା

ବଲାଙ୍ଗୀର ଅଫିସ,୧୬।୮: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କ୍ୟାମ୍ପସ ପରିସରରେ ମଙ୍ଗଳବାର ସକାଳେ ଏକ ଅଘଟଣ ଘଟିଛି। ୨ ଜଣ ଯୁବକ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ସୁଦପଡ଼ା ନିବାସୀ ଅଜୁ ଦୋରା(୨୫)। ଏନେଇ ହସ୍ପିଟାଲ ପରିସରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ମୁତାବକ, ହସ୍ପିଟାଲ କ୍ୟାମ୍ପସ ପରିସରରେ ଜଳଖିଆ ଇଡଲି ଠେଲା ଲଗାଇବାକୁ ଅଜୁ ସକାଳୁ ଏକ ସ୍କୁଟିରେ ମା’ଙ୍କୁ ଧରି ଆସୁଥିଲେ। ହେଲେ ହସ୍ପିଟାଲ ପରିସରରେ ଥିବା ସିକ୍ୟୁରିଟି ଅଫିସ ସମ୍ମୁଖରେ ହେଲ୍‌ମେଟ ପିନ୍ଧି ପୂର୍ବରୁ ଛପି ରହିଥିବା ୨ଜଣ ଯୁବକ ଖଣ୍ଡାରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଅଜୁଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଆକ୍ରମଣକାରୀ ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।