ହାଟଡିହୀ, ୧୮।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡ଼ରମ୍ପାସ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ମୃତ୍ୟୁଞ୍ଜୟ ବେହେରା ନିଜ ଜନ୍ମଦିନକୁ ଅତ୍ୟନ୍ତ ନିଆରା ଓ ପ୍ରେରଣାଦାୟକ ଢ଼ଙ୍ଗରେ ପାଳନ କରିଛନ୍ତି। ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ସେ କୌଣସି ଆଡମ୍ବର ନ କରି ସମାଜସେବା ମାଧ୍ୟମରେ ନିଜର ଏହି ଦିନକୁ ସ୍ମରଣୀୟ କରିଛନ୍ତି।
ଶନିବାର ନିଜ ଜନ୍ମଦିନ ଅବସରରେ ମୃତ୍ୟୁଞ୍ଜୟ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ରକ୍ତ ଭଣ୍ଡାରରେ ପହଞ୍ଚି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହାପରେ ବଡ଼ରମ୍ପାସ ଗ୍ରାମକୁ ଫେରି ସେ ନିଜ ସହଯୋଗୀମାନଙ୍କୁ ସାଙ୍ଗରେ ନେଇ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଥିଲେ। ଛୋଟବେଳୁ ହିଁ ସମାଜ ସେବାରେ ନିଜକୁ ନିୟୋଜିତ କରି ଆସୁଥିବା ମୃତ୍ୟୁଞ୍ଜୟ ଅସହାୟ ଓ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ଆଗଭର। ସେ ହାଟଡିହି ବ୍ଲକ ଅନ୍ତର୍ଗତ ‘ମହାବୀର ଯୁବକ ସଂଘ’ର ଜଣେ ସକ୍ରିୟ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି।
ବହୁ ସମୟରେ ଅସହାୟ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସେ ରକ୍ତଦାନ କରି ଆସୁଛନ୍ତି। ମୃତ୍ୟୁଞ୍ଜୟଙ୍କ ଏହି ମହତ କାର୍ଯ୍ୟକୁ ଗ୍ରାମବାସୀ ତଥା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ବହୁତ ପ୍ରଶଂସା କରାଯାଇଛି। ତାଙ୍କର ଏଭଳି ପ୍ରୟାସ ଅନ୍ୟ ଯୁବକମାନଙ୍କୁ ସମାଜସେବା ଦିଗରେ ପ୍ରେରଣା ଯୋଗାଇବ ବୋଲି ଆଲୋଚନା ହେଉଛି।