ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ସରାବାଡ଼ି ଗ୍ରାମର ଜୟସେନ ପ୍ରଧାନ (୩୦) ଗୁରୁତର ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ଜୟସେନ ନିଜ ଘର କାମ ସାରି ବାହାରେ ଥିବାବେଳେ ସେହି ଗ୍ରାମର ଜଣେ ଯୁବକ କିଛି ସହଯୋଗୀଙ୍କ ସହ ବୁଲେଟ୍‌ରେ ଆସିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜୟସେନଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ସେମାନେ ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ଗୁରୁତର ଆହତ ଜୟସେନଙ୍କୁ ପରିବାର ଲୋକ ଓ ସାଙ୍ଗମାନେ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କିଛିଦିନ ତଳେ ଗ୍ରାମର ଭଗବାନ ଗୌଡ଼ଙ୍କ ଏକ ଅଟୋକୁ ରାତିରେ କିଛି ଲୋକ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଏହି ଘଟଣାରେ ଭଗବାନ ଓ ଜୟସେନ ଅଟୋ ପୋଡ଼ିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ବୁଝାସୁଝା କରିଥିଲା। ତେବେ ଭଗବାନଙ୍କ ରାଗ କମି ନଥିଲା ବୋଲି ଜୟସେନଙ୍କ ଭଉଣୀ ମାମାଲି ପ୍ରଧାନ କହିଛନ୍ତି।

ଏହି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭଗବାନ ଜୟସେନଙ୍କୁ ଗୁଳି କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଘଟଣାର ପ୍ରକୃତ କାରଣ ଓ ଗୁଳିକାଣ୍ଡରେ କିଏ ସମ୍ପୃକ୍ତ, ସେନେଇ ବଡ଼ଗଡ଼ ପୋଲିସ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Share