ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ନିଖୋଜ ଯୁବକଙ୍କ ନାମ ଝାଡ଼ଖଣ୍ଡ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ବୟସ ପ୍ରାୟ ୪୫ ବର୍ଷ। ସେ ଜଗଦା ଟୁଙ୍ଗରିଟୋଲା ବସ୍ତିର ବାସିନ୍ଦା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୯ଟା ସମୟରେ ଝାଡ଼ଖଣ୍ଡ ଉକ୍ତ ପରିତ୍ୟକ୍ତ ଖାଦାନ ନିକଟକୁ ଯାଇଥିଲେ। ପରେ ସେ ଖାଦାନରେ ଡେଇଁ ପଡ଼ିଥିବା ଦେଖି କେତେକ ଲୋକ ତାଙ୍କୁ ଗାଧୋଉଥିବା ଅନୁମାନ କରିଥିଲେ। ତେବେ ପ୍ରାୟ ଘଣ୍ଟାଏ ବିତିଯାଇଥିଲେ ମଧ୍ୟ ସେ ଖାଦାନରୁ ବାହାରକୁ ନ ଆସିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।
ପରେ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଝିରପାଣି ପୋଲିସ ସହ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖାଦାନରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ଖାଦାନ କୂଳରେ ନିଖୋଜ ଯୁବକଙ୍କ ଚପଲ ଓ ଲୁଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।
ଖାଦାନଟି ପରିତ୍ୟକ୍ତ ହୋଇଥିବାରୁ ଏଥିରେ ଗଭୀର ପାଣି ରହିଥିବା ଜଣାପଡ଼ିଛି। ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଅଭିଯାନ ଜାରି ରହିଛି। ଘଟଣାକୁ ନେଇ ଜଗଦା ଅଞ୍ଚଳରେ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି।
Dharitri – Odisha’s No.1 Odia Daily