ମୋହନା,୨୩ା୧୦(ମନ୍ମଥ ମିଶ୍ର): ବୁଧବାର ସାଙ୍ଗମାନଙ୍କ ସହ ବିଲକୁ ଯାଉଥିବା ବେଳେ ରାସ୍ତାକଡ଼ରେ ଥିବା ଏକ ବିରାଟକାୟ ଶୁଖିଲା ଆମ୍ବଗଛର ଶାଖାରୁ ଏକ ଗଣ୍ଡି ପଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିଲା। ଗୁରୁବାର କ୍ଷତିପୂରଣ ଦାବି ନେଇ ରାମଗିରି ହାଟପଦାସ୍ଥିତ ଗାନ୍ଧୀ ଛକଠାରେ ଯୁବକଙ୍କ ପରିବାର, ଶତାଧିକ ମହିଳା ପୁରୁଷ ଏବଂ ଯୁବକମାନେ ରାସ୍ତା ଉପରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଯାହା ଫଳରେ ରାମଗିରି ଦେଇ ଯାତାୟାତ କରୁଥିବା ସମସ୍ତ ଗାଡ଼ିମୋଟର ଚଳାଚଳ ଠପ୍ ହୋଇଥିଲା। କେବଳ ଜରୁରୀକାଳିନ ସେବା ବ୍ୟତୀତ ଅନ୍ୟ ସବୁ ଭାରି ଓ ହାଲୁକା ଯାନଗୁଡିକ ଅଟକି ରହିଥିଲା। ତହସିଲଦାର ଜ୍ୟୋତିର୍ମୟୀ ଦାସ ଏବଂ ରା. ଉଦୟଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋରିମନ ଖୋସସେଲ ଘଟଣାସ୍ଥଳରେ ପହଞ୍ଚି ଶୋକାକୁଳ ପରିବାରବର୍ଗ ଏବଂ କ୍ଷତିପୂରଣ ଦାବିକାରୀଙ୍କୁ ବୁଝାଶୁଝା କରି ରେଡ୍କ୍ରସ ତରଫରୁ ୨୦ ହଜାର, ଆରଡି ତରଫରୁ ୩୦ ହଜାର, ବନ ବିଭାଗ ତରଫରୁ ୨୦ ହଜାର, ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ୧୦ ହଜାର, ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଏବଂ ସ୍ଥାନୀୟ ଯୁବ ଠିକାଦାରଙ୍କ ତରଫରୁ ୧୦ ହଜାର ମୋଟ୍ ୯୩୦୦୦ ଟଙ୍କା ଆର୍ଥିକ ସହାୟତା ଦେବା ସହିତ ଅନ୍ତ୍ୟୋଦୟ ଯୋଜନାରେ ସାମିଲ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍ରୁ ୩ ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳବା ପରେ ରାସ୍ତାରୋକୋ ହଟିଥିଲା। ସୁରକ୍ଷା ଦୃଷ୍ଟିରୁ ରାମଗିରି ଏବଂ ରା. ଉଦୟଗିରି ପୋଲିସ ମୁତୟନ ରହିଥିଲା।


