ରାୟଗଡ଼ା,୯।୫: ରାୟଗଡ଼ାର ନିଖିଲ ହାଡ଼ିପାଙ୍କୁ ଅପହରଣ ପରେ ହତ୍ୟା ଘଟଣାକୁ ନେଇ ସହରରେ ଚାପା ଉତ୍ତେଜନା ଦେଖାଦେଇଛି। ହତ୍ୟା ପ୍ରତିବାଦରେ ସ୍ଥାନୀୟ ଲୋକେ ରାୟଗଡ଼ା ଥାନା ଆଗରେ ମୃତଦେହ ଶୋଭାଯାତ୍ରା କରିଛନ୍ତି। ଏପରିକି ପୋଲିସ ଅପହରଣକାରୀ ଏବଂ ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ଜାଣିଶୁଣି ବିଳମ୍ୱ କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅପହରଣ ନେଇ ପୋଲିସକୁ ଅବଗତ କରାଯିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏଭଳିସ୍ଥିତିରେ ଶବ ଶୋଭାଯାତ୍ରା ବେଳେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଏକ ବାଇକ୍ ଜାଳି ପୋଡି ଦେଇଛନ୍ତି। ଏନେଇ ସହରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି।
ଅନ୍ୟପକ୍ଷେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ପୋଲିସ ଫୋର୍ସ ମୃତୟନ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଶନିବାର ରାତି ପ୍ରାୟ ୧୦ଟା ସମୟରେ କେତେଜଣ ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ଆସି ନିଖିଲଙ୍କୁ ପିଛା କରିଥିଲେ। ଏନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ନିଖିଲ ଦୌଡ଼ି ପଳେଇବା ସମୟରେ ଫାଇରିଂ ହୋଇଥିଲା। ଏପରିକି ନିଖିଲ ପ୍ରାଣ ଭୟରେ ଜଣଙ୍କ ଘରକୁ ପସିଯିବା ସମୟରେ ଦୁର୍ୱୁତ୍ତମାନେ ତାକୁ ଅପହରଣ କରି ରିଂ ରୋଡ ପଟେ ନେଇଯାଇଥିଲେ। ପରେ ନିଖିଲଙ୍କୁ ହତ୍ୟା କରି ତୁମ୍ୱିଗୁଡା ନିକଟରେ ଫିଙ୍ଗି ଚାଲିଯାଇଥିଲେ।