ପୁରୀ, ୮।୮(ଅଜିତ୍ କୁମାର ମହାନ୍ତି): ପୁରୀର ପଞ୍ଚ ପୁଷ୍କରିଣୀ ମଧ୍ୟରେ ଅନ୍ୟତମ ପବିତ୍ର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଷ୍କରିଣୀରେ ଗାଧୋଉଥିବା ସମୟରେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲା ସତ୍ୟଭାମାପୁର ଅଞ୍ଚଳର ସମ୍ବିତ ପ୍ରଧାନ (୧୮)।
ମିଳିଥିବା ସୂଚନା ଅନୁଯାୟୀ, ସମ୍ବିତ ଓ ତାଙ୍କର କିଛି ସାଙ୍ଗ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ପ୍ରଥମେ ସମୁଦ୍ରରେ ସ୍ନାନ କରିବା ପରେ ଶ୍ୱେତଗଙ୍ଗା ପୁଷ୍କରିଣୀରେ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ହଠାତ୍ ସମ୍ବିତଙ୍କ ଗୋଡ଼ ଖସିଯାଇଥିଲା, ଯାହାଫଳରେ ସେ ଗଭୀର ପାଣି ମଧ୍ୟରେ ବୁଡ଼ି ଯାଇଥିଲେ।
ଏନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯିବାରୁ ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରେ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟର ପ୍ରୟାସ ପରେ ଅଗ୍ନିଶମ କର୍ମଚାରୀମାନେ ସମ୍ବିତଙ୍କ ମୃତଦେହକୁ ପାଣି ମଧ୍ୟରୁ ଉଦ୍ଧାର କରିଥିଲେ। ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏଥିସହ ପରିବାର ଲୋକଙ୍କୁ ଖବର ଦିଆଯିବା ସହ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଏବଂ ସାଙ୍ଗରେ ଥିବା ସମ୍ବିତଙ୍କ ସାଙ୍ଗମାନଙ୍କୁ ମଧ୍ୟ ପଚରାଉଚରା କରୁଥିବା ଜଣାପଡ଼ିଛି।