ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଭୀଷ୍ମଗିରି ଗ୍ରାମ ଉଷାକୋଠୀ ଗୋଲା ସାହିର ଏମ୍. ସାହେବ (୪୭)।
ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ ସାହେବ ଗ୍ରାମର ବଡ଼ବନ୍ଧ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ପୋଖରୀ ତୁଠ ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ।
ଅପରାହ୍ନ ପ୍ରାୟ ୪ଟା ସମୟରେ ପୋଖରୀରେ ଗାଧୋଉଥିବା କିଛି ସ୍ଥାନୀୟ ବ୍ୟକ୍ତି ପାଣିରେ ଜଣେ ଯୁବକ ଭାସୁଥିବା ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ତାଙ୍କୁ ପାଣିରୁ ଉଦ୍ଧାର କରି ପୋଖରୀ ହିଡ଼କୁ ଆଣିବା ପରେ ସେ ସାହେବ ବୋଲି ଚିହ୍ନଟ ହୋଇଥିଲେ। ଏନେଇ ସଙ୍ଗେ ସଙ୍ଗେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା।
ପରିବାର ଓ ସମ୍ପର୍କୀୟ ଲୋକେ ତାଙ୍କୁ ଆଶୁ ଚିକିତ୍ସା ପାଇଁ ଚେତାଶୂନ୍ୟ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ (CHC) ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଦିଗପହଣ୍ଡି ଥାନା ଏଏସଆଇ (ASI) ଦିଲ୍ଲୀପ ଗୋରଡ଼ା ସନ୍ଧ୍ୟା ସମୟରେ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ନିଜ ଜବତକୁ ନେଇଥିଲେ। ଦିଗପହଣ୍ଡି ଥାନା ଆଇଆଇସି (IIC) କିଶୋର କୁମାର ସାମଲଙ୍କ ସୂଚନା ଅନୁଯାୟୀ, ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ ୩୨/୨୬) ରୁଜୁ କରାଯାଇଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।