ଛତ୍ରପୁର,(ଦିଲ୍ଲୀପ ସାମଲ)୧୧/୧: ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକ ଜଣକ ହେଲେ ଗାଙ୍ଗପୁର- ୨ ଗ୍ରାମର ସାଗର ନାହାକ (୨୮) । ଏପରି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ଥାନା ଅଞ୍ଚଳରେ । ଶନିବାର ରାତ୍ର ପ୍ରାୟ ୯. ୩0ରେ ଏକ ବାଇକ ଯୋଗେ ସାଗର ଛତ୍ରପୁରରୁ ତାଙ୍କ ଗାଁ ( ଗଙ୍ଗା ପୁର-୨) ଅଭିମୁଖେ ଯାଉଥିବା ବେଳେ ହଂସପୁର ବାଲି ରେମ୍ପ ରାସ୍ତାରେ ଏକ ଅଜଣା ଗାଡି ଧକ୍କା ଦେଇ କୁଆଡେ ଚାଲି ଯାଇଥିଲା । ଯାହାଫଳରେ ସାଗର ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ପରିବାର ଲୋକ ଏବଂ ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାର ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଗ୍ରାମ ଶ୍ମଶାନରେ ଉପସ୍ଥିତ ରହି ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ରଲିଫ ପାଣ୍ଠିରୁ ସହାୟତା ଯୋଗାଇଥିଲେ । ଅନ୍ୟପଟେ ସାଗର ନାହାକଙ୍କର ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।


