ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ଜନସେବାକେନ୍ଦ୍ର କରିଥିବା ରଘୁନାଥ ରବିବାର ସକାଳେ ଗାଁରେ ପହଞ୍ଚି ବାପା ଶ୍ୟାମ ଗୌଡ଼ ଓ ମା କୁନ୍ତି ଗୌଡ଼ଙ୍କ ସହ ଗାଁ ନିକଟ ଚାଷଜମିକୁ ଯାଇଥିଲେ। ସେଠାରେ ଥିବା ଗଛରୁ ଆମ୍ବ ତୋଳିବା ପରେ ଚାଷଜମିରେ କାମ କରୁଥିବା ବେଳେ ରଘୁନାଥ ଚାଷଜମିରେ ଆକସ୍ମିକ ଭାବେ ଟଳି ପଡ଼ିଥିଲେ। ଆଖପାଖରେ ଥିବା ଲୋକଙ୍କ ସହାୟତାରେ ମାବାପା ତାଙ୍କୁ ଅଚେତ ଅବସ୍ଥାରେ ଝରିପଦର ଗ୍ରାମ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଖବରପାଇ ସରପଞ୍ଚ ଲିଙ୍ଗରାଜ ଦୋରା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଚେତା ନଫେରିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ରଘୁନାଥଙ୍କ ସ୍ତ୍ରୀ କନ୍ଧୁଣି ଗୌଡ଼ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ପୋଲିସ ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବାସହ ଅପମୃତ୍ୟୁ ମାମଲା ନଂ.୨୭/୨୬ ଅନୁଯାୟୀ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ।
ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି। ଅଂଶୁଘାତରେ ତାଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି କିଶୋର କୁମାର ସାମଲ କହିଛନ୍ତି। ଅପରପକ୍ଷରେ ଏନେଇ ତଦନ୍ତ କରାଯିବ ବୋଲି ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଜଣାଇଛନ୍ତି ।