ବିଦ୍ୟୁତ୍‌ ଦର ବୃଦ୍ଧିରେ ଯୁବକଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ଚାଲିଛି। ମଙ୍ଗଳବାର ରାଜ୍ୟ ବିଦ୍ୟୁତ୍‌ ନିୟାମକ ବୋର୍ଡ ସମ୍ମୁଖରେ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଟିଭି ଓ କମ୍ପ୍ୟୁଟର ପୋଡ଼ି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କରୋନାରେ ଜୀବନ ଓ ଜୀବିକା ପାଇଁ ଲଢ଼େଇ କରୁଥିବା ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ୍‌ ଦର ବୃଦ୍ଧି ଏକ ଶକ୍ତ ଆଘାତ ଦେଇଛି। ଏ ପର୍ଯ୍ୟନ୍ତ ଦୋକାନୀ, କ୍ଷୁଦ୍ର ଓ ମଧ୍ୟମ ଧରଣର କଳକାରଖାନା ନିଜର ଆର୍ଥିକ ସ୍ଥିତିକୁ ସୁଧାରି ଅଣ୍ଟା ସଳଖି ପାରି ନ ଥିବା ପରିତାପର ବିଷୟ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହି ଅବସରରେ ସ୍ମୃତିରଞ୍ଜନ କହିଛନ୍ତି, ପ୍ରବାସୀ ଶ୍ରମିକ ଗୁଜୁରାଣ ମେଣ୍ଟାଇବା ପାଇଁ ସକ୍ଷମ ହୋଇନାହାନ୍ତି। ବହୁ ବେକାର ଯୁବକ ନିଜ ପରିବାରର ଭାର ବହନ କରିବା ପାଇଁ ଅସମର୍ଥ । ଏଭଳି ସ୍ଥଳେ ଘରୋଇ କମ୍ପାନୀଙ୍କ ସ୍ବାର୍ଥ ପାଇଁ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ୍‌ ଦର ବୃଦ୍ଧିକୁ ଯୁବକଂଗ୍ରେସ ଦୃଢ଼ ବିରୋଧ କରୁଛି। ଓଡ଼ିଶା ବିଦ୍ୟୁତ୍‌ ଉପତ୍ାଦନରେ ସ୍ବାବଲମ୍ବୀ ଥିବାବେଳେ ଅନ୍ୟ ରାଜ୍ୟକୁ ମଧ୍ୟ ଯୋଗାଣ କରୁଛି। ସେହି ରାଜ୍ୟଗୁଡିକ ବିଦ୍ୟୁତ୍‌ ଦର ରିହାତି ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର କାହା ସ୍ବାର୍ଥରେ ଦର ବୃଦ୍ଧି କରୁଛନ୍ତି ବୋଲି ସ୍ମୃତି ପ୍ରଶ୍ନ କରିଛନ୍ତି। ଆଗାମୀ ଦିନରେ ବିଜୁଳି ଦର ହ୍ରାସ ନ ହେଲେ ଯୁବକଂଗ୍ରେସ ଜିଲା ଓ ବ୍ଲକ ସ୍ତରରେ ଆନ୍ଦୋଳନକୁ ତୀବ୍ରତର କରିବା ସହ ଆଇନକୁ ହାତକୁ ନେବାକୁ ପଛଘଞ୍ଚା ଦେବନାହିଁ। ଅନ୍ୟପଟେ ୨୨ତାରିଖରେ ୧୫ ମିନିଟ୍‌ ବିଦ୍ୟୁତ୍‌ ବ୍ୟବହାର ବନ୍ଦ ରଖିବାକୁ ସେ ନିବେଦନ କରିଛନ୍ତି।