ଯୁବ କଂଗ୍ରେସର ଶଗଡ଼ ଶୋଭାଯାତ୍ରା

ଭୁବନେଶ୍ୱର,୩।୨(ବ୍ୟୁରୋ): ପେଟ୍ରୋଲ, ଡିଜେଲର ଅହେତୁକ ଦରବୃଦ୍ଧି ଏବଂ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରଣହୁଙ୍କାର ଦେଇଛି। ଏହି ପରିପ୍ରେକ୍ଷୀରେ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ବିଶାଳ ଶଗଡ଼ ଶୋଭାଯାତ୍ରା ପାୱାର ହାଉସ୍‌ ଛକରୁ ବାହାରି ରାଜଭବନ ଅଭିମୁଖେ ଯାଇଥିଲା। ପ୍ରଥମେ ପାୱାର ହାଉସ୍‌ ଛକରେ ଯୁବ କଂଗ୍ରେସ ପକ୍ଷରୁ ଏକ ସଭା କରାଯାଇଥିଲା। ସଭାରେ ସ୍ମୃତିରଞ୍ଜନ ଉଦ୍‌ବୋଧନ ଦେଇ କହିଥିଲେ, ରାଜ୍ୟ ଓ କେନ୍ଦ୍ର ସରକାର ତୈଳ ଉପରେ ଟ୍ୟାକ୍ସ ଲଗାଇ ଅହେତୁକ ଦର ବୃଦ୍ଧି କରୁଛନ୍ତି। ଏହାର ପ୍ରଭାବରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟବୃଦ୍ଧି ଘଟୁଛି। ଫଳରେ ଜନସାଧାରଣ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ତେଲ ବ୍ୟାରେଲ ପିଛା ୫୦ ଡଲାରରୁ କମ୍‌ ଥିବାବେଳେ ପେଟ୍ରୋଲ, ଡିଜେଲ ଦର ପାଖାପାଖି ୯୦ ଟଙ୍କା ହେଲାଣି। ଏଥିରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟିକସ ନାମରେ ସାଧାରଣ ଜନତାଙ୍କୁ ଠକୁଥିବା କଥା ସ୍ପଷ୍ଟ ଜଣାପଡୁଛି। ସେହିପରି କୃଷି ଆଇନ ପ୍ରତ୍ୟାହାର ନ ହେଲେ ଚାଷୀଙ୍କ ସ୍ବାର୍ଥ ପାଇଁ ଯୁବ କଂଗ୍ରେସ ରାଜ୍ୟରେ ଆନ୍ଦୋଳନ ଜୋରଦାର କରିବ ବୋଲି ସେ କହିଥିଲେ। ଯୁବ କଂଗ୍ରେସ ଉପସଭାପତି ରାଜୀବ ପଟ୍ଟନାୟକ କହିଥିଲେ, ତୈଳ ଦର ବୃଦ୍ଧି ଯୋଗୁ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗିଲେଣି। ବର୍ତ୍ତମାନ ଲୋକମାନେ ଜାଣିପାରୁ ନାହାନ୍ତି, ଆଉ କିଛିଦିନ ଗଲେ ଏହି ପ୍ରସଙ୍ଗରେ ସେମାନେ ରାସ୍ତାକୁ ଓହ୍ଲାଇବେ। ଆଜି ଯୁବ କଂଗ୍ରେସ ରାଜଭବନ ପର୍ଯ୍ୟନ୍ତ ଆସିଛି । ଯଦି ଏହାର ତୁରନ୍ତ ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ସବୁ ଜିଲାରେ ଆନ୍ଦୋଳନ ହେବ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରାଯିବ ବୋଲି ରାଜୀବ କହିଥିଲେ। ଏହି ଅବସରରେ ଯୁବ କଂଗ୍ରେସର ଏକ ପ୍ରିତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ।