ମୋତେ ବରବାଦ୍‌ କରିଦେଲା, ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇ ଆତ୍ମହତ୍ୟା କଲେ ଯୁବକ

ଭବାନୀପାଟଣା,୨୯ା୪(ସ୍ବ.ପ୍ର.): ପ୍ରେମରେ ମିଳିଲା ଧୋକା। ପ୍ରତାରଣା ସହି ନ ପାଇ ଯୁବକ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ଥାନା ଭାଲୁଚୁଆଁ ଗାଁରେ। ମୃତ ଯୁବକଙ୍କ ନାମ ହିମାଂଶୁ ଭଏଁସାଲ। ସେ ଧର୍ମଗଡ଼ ଥାନା ଅଏଁଲାଜୋର ଗାଁ ବୋଲି ଜଣାପଡ଼ିଛି।
ହିମାଂଶୁଙ୍କୁ ପ୍ରେମରେ ଧୋକା ମିଳିବା ପରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁ। ଜଣେ ଝିଅ ତାଙ୍କୁ ଧୋକା ଦେଇଥିବାରୁ ସହି ନ ପାରି ଆତ୍ମହତ୍ୟା କରିଥିବା ନିଜ ହ୍ବାଟ୍ସଆପ୍‌ର ଷ୍ଟାଟସ୍‌ରେ ଲେଖିଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଯୁବକ ଜଣଙ୍କ ଭାଲୁଚୁଆଁ ଗ୍ରାମରେ ଜେସିବି ଗାଡି ଡ୍ରାଇଭର ଭାବେ କାମ କରୁଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଷ୍ଟାଟସ୍‌ ଦେଇ ବେକରେ ରଶି ଲଗାଇ ଏକ ଗଛରେ ଝୁଲି ପଡ଼ିଥିଲେ। ତା’ ବିନା ବଞ୍ଚିବା ସମ୍ଭବ ନୁହେଁ ବୋଲି ଫୋନ୍‌ରେ ଷ୍ଟାଟସ୍‌ ଲେଖିଥିଲେ। ତାଙ୍କ ମୋବାଇଲ ଷ୍ଟାଟସ୍‌ ଭାଇରାଲ ହୋଇଥିବାରୁ ଏହା ଏକ ପ୍ରେମଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ଶନିବାର ସକାଳେ ହିମାଂଶୁଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ କୋକସରା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।