ତୋ ବେଳକାଳ ଆସୁଛି

ଶ୍ରୁତକୀର୍ତ୍ତି ତ୍ରିପାଠୀ

ର୍ଷକ ଧାଡ଼ିଟି ଲୋକମୁଖରେ ଖୁବ୍‌ ଆଦୃତ ଏକ ଢଗରୁ ଆସିଛି, ଯାହାର ସମ୍ପୂର୍ଣ୍ଣ ପଂକ୍ତିଟି ଏହିଭଳି:-
” ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି
ମଝି ବରଡ଼ା ଥାଇ କହୁଛି, ତୋ ବେଳକାଳ ଆସୁଛି।“
ବୁଝାଇ କହିଲେ, ବୃଦ୍ଧ ମାତାପିତା (ତଳ ବରଡ଼ା), ତାଙ୍କ ତ୍ୟାଗ, ସଂଘର୍ଷରେ ଆଗାମୀ ପିଢ଼ିକୁ ଗଢ଼ି ସମୟ ହେଲେ ଶୁଖିଲା ପତ୍ର ପରି ଝଡ଼ିପଡ଼ନ୍ତି l ସେତେବେଳେ ଏହି ସବୁ ଗତିବିଧିକୁ ଯୁବପିଢ଼ି (ଉପର ବରଡ଼ା) ଅନୁଭବ ନ କରିପାରି ଏକ ସହଜ ଜୀବନ ବଞ୍ଚୁଥାଏ। କିନ୍ତୁ ଏହି ଦୁଇ ପିଢ଼ି ଭିତରେ ଥିବା ମଝି ପିଢ଼ି (ମଝି ବରଡ଼ା) ଉଭୟ ବୃଦ୍ଧ ମାତାପିତା ଏବଂ ନିଜ ସନ୍ତାନମାନଙ୍କ ମଧ୍ୟରେ ଏକ ପାହାଚ ଭଳି ରହି ସବୁ ଦେଖିବାରେ ସକ୍ଷମ ଥାଏ। ସେ ଜାଣିଥାଏ ଯେ ତା’ର ବି ଦିନେ ବାର୍ଦ୍ଧକ୍ୟ ଅବସ୍ଥା ଉପନୀତ ହେବ।
ତେଣୁ ସେ ତରୁଣ ପିଢ଼ିକୁ ସାବଧାନ କରି କହୁଛି, ‘ରେ ଉପର ବରଡ଼ା, ତୁ ସାବଧାନ ରହ, କାରଣ ତୁ ବି ଦିନେ ଏହି ସ୍ତରକୁ ଆସିବାକୁ ବାଧ୍ୟ ହେବୁ।’
ଉପରୋକ୍ତ ଅନୁଚ୍ଛେଦ ପଢ଼ିବା ପରେ ମା’ବାପାଙ୍କ ପ୍ରତି ଅନ୍ୟାୟ କରିଥିବା ପ୍ରତ୍ୟେକ ଝିଅପୁଅ ସତର୍କ ହୋଇଯିବା ଉଚିତ ଯେ, ଏବେ ସେମାନେ ନିଜ ବୃଦ୍ଧ ମାତାପିତାଙ୍କ ସହିତ ଯେଉଁଭଳି ବ୍ୟବହାର କରୁଛନ୍ତି, ପରିଣତ ବୟସରେ ନିଜ ପିଲାମାନଙ୍କଠାରୁ ମଧ୍ୟ ସେହି ବ୍ୟବହାର ପାଇବା ସୁନିଶ୍ଚିତ l କଥାଟି ଦେହକୁ ଲାଗିଲେ ବି ନିରାଟ ସତ ପାଠକଗଣ, କାରଣ କଥାରେ ଅଛି ‘ଯେମିତି ବୁଣିବ, ସେମିତି ଦାଇବ l’
ମାତାପିତାଙ୍କୁ ଅବହେଳା କରିବା, ବୋଝ ମଣି ତାଙ୍କୁ ଅସମ୍ମାନ କରିବା, ଅଦରକାରୀ ଭାବି ଘରୁ ତଡ଼ିଦେବା କିମ୍ବା ବୃଦ୍ଧାଶ୍ରମ ଯିବାକୁ ବାଧ୍ୟ କରିବା ଭଳି ଘୃଣ୍ୟ ମାନସିକତା ରଖୁଥିବା ସନ୍ତାନମାନେ ଆଗକୁ ଯାଇ ଏହାର ପରିଣାମ ସ୍ବରୂପ ନିଶ୍ଚୟ ଏହିଭଳି କିଛି ନିଜ ପିଲାମାନଙ୍କଠାରୁ ଯେ ନ ଭୋଗିବେ ତାହା କହିହେବ ନାହିଁ।
ଆଜିକାଲି ବୃଦ୍ଧ ମାତାପିତାଙ୍କୁ ଦୁର୍ବ୍ୟବହାର କରୁଥିବା କିମ୍ବା ଘରେ ରଖି ତାଙ୍କ ଦାୟିତ୍ୱ ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ସନ୍ତାନମାନେ ବିଚାରଶୂନ୍ୟ ଏବଂ ବିବେକହୀନ ହୋଇଯାଇଛନ୍ତି। ସେମାନଙ୍କ ଧରାପୃଷ୍ଠକୁ ଆସିବାର କାରଣ, ତାଙ୍କର ଅସ୍ତିତ୍ୱକୁ ରୂପ ଦେଇଥିବା ମାତାପିତା, ଯାହାଙ୍କ ଯୋଗୁ ଆଜି ସେମାନେ ତିଷ୍ଠିଛନ୍ତି ସେମାନଙ୍କୁ ଘରୁ ବାହାର କରିଦେବା, ବୋଝ ଭାବିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ନିଜ ଶ୍ରମ, ଅର୍ଥ, ସମୟ ଦେଇ ସନ୍ତାନକୁ ପାଳନ ପୋଷଣ କରୁଥିବା ମାତାପିତା, ପୁଅ ଯୋଗ୍ୟ ଏବଂ ସକ୍ଷମ ହେଲାମାତ୍ରେ ଅଖୋଜା, ଅଲୋଡ଼ା ହୋଇଯାଉଛନ୍ତି! ଏହି ବିଚାରଧାରା, ଏହି ହୀନ ମାନସିକତାର ଆରମ୍ଭ କେଉଁଠାରୁ ଖୋଜିବାକୁ ହେବ। ସତ୍ୟତା ଏହା ଯେ, ଏଭଳି ମନୋଭାବର ମୂଳଦୁଆ ସର୍ବପ୍ରଥମେ ପିଲାଟିର ନିଜ ପରିବାର ଭିତରେ ହିଁ ପଡ଼ିଥାଏ।
ପିଲାମାନେ ସାଧାରଣତଃ ଘରେ ନିଜଠାରୁ ବଡ଼ ବ୍ୟକ୍ତି ଯେପରିକି ନିଜ ମାତା, ପିତା, କକା, ଖୁଡ଼ୀ, ଜେଜେ, ଜେଜେମା’ଙ୍କ ସଂସ୍ପର୍ଶରେ ସବୁଠାରୁ ବେଶି ସମୟ ରୁହନ୍ତି ଏବଂ ଅଦୃଶ୍ୟରେ ସେମାନଙ୍କୁ ଅନୁସରଣ କରନ୍ତି। ସେମାନଙ୍କ ବ୍ୟବହାର, କଥନଶୈଳୀ, ଭାବନା ଯେମିତି ଆଖିଆଗରେ ଘଟିଯାଏ, ତାହାକୁ ହିଁ ସେମାନେ ଠିକ୍‌ ଭାବି ନିଅନ୍ତିl ଉଦାହରଣ ସ୍ବରୂପ ଯଦି ସେମାନେ କଳି, ଝଗଡା, ହିଂସା, ଘୃଣା, ସ୍ବାର୍ଥପରତା, ଚୋରି, ମିଛ ଦେଖିବେ, ସେହିସବୁ ଗୁଣ ତାଙ୍କ ବ୍ୟକ୍ତିତ୍ୱରେ ଦେଖାଯିବ। ଅପରପକ୍ଷେ ସେମାନେ ଯଦି ଦୟା, କ୍ଷମା, ପ୍ରେମ, ମିତ୍ରତା, ଏକତା ଭାବରେ ବନ୍ଧା ପରିବାର ସଦସ୍ୟଙ୍କୁ ଦେଖିବେ, ସେହିଭଳି ଗୁଣସବୁ ତାଙ୍କ ଭିତରେ ବିକଶିତ ହେବ। ଜନ୍ମ ହେବା ପରଠାରୁ ପିଲାଟିର ପରିବେଶ, ସେ କିପରି ଲୋକଙ୍କ ସାନ୍ନିଧ୍ୟରେ ରହୁଛି, ପରିବାର ସଦସ୍ୟଙ୍କ ପରସ୍ପର ପ୍ରତି ବ୍ୟବହାରରୁ ଶିକ୍ଷା ନିଏ ଏବଂ କ୍ରମେ ସେମିତି ହିଁ କରେ। ଏଣୁ ଅଭିଭାବକମାନେ ନିଜେ ଭୁଲ୍‌ କାମ କରି ପିଲାମାନଙ୍କଠାରୁ ଭଲ ଗୁଣସବୁ ଆଶା କରିବା ଅତ୍ୟନ୍ତ ହାସ୍ୟାସ୍ପଦ।
ମାତାପିତା ଏବଂ ଗୁରୁଜନ ହୃଦୟଙ୍ଗମ କରିବା ଦରକାର ଯେ ସେମାନେ କହିଥିବା ପ୍ରତିଟି ଶବ୍ଦ, ପ୍ରତିଟି କାର୍ଯ୍ୟ ଭୁଲ୍‌ ହେଉ ଅବା ଠିକ୍‌; ତା’ର ପ୍ରତ୍ୟକ୍ଷ ପ୍ରଭାବ ପିଲାମାନଙ୍କ ଉପରେ ପଡୁଛି। ଭିନ୍ନ ଭିନ୍ନ ଜାତି, ଧର୍ମ, ସଂସ୍କୃତି, ପରମ୍ପରା, ସାମାଜିକ ଚଳଣି, ଜୀବନଶୈଳୀକୁ ନେଇ ସମାଜରେ ଦେଖାଦେଇଥିବା ବିଭିନ୍ନତା ଦ୍ୱାରା ସୃଷ୍ଟି ହେଉଥିବା ପିଲାଙ୍କ ବ୍ୟବହାର, ସଣ୍ଠଣା, ଚାରିତ୍ରିକ ଗୁଣାବଳୀକୁ ପ୍ରତିଫଳନ କରେ। ପିଲାମାନେ ସେସବୁକୁ ଶିଖିବାକୁ ଏକ ପ୍ରକାର ବାଧ୍ୟ ବୋଲି କହିଲେ ଭୁଲ୍‌ ହେବନାହିଁ l ସୁତରାଂ ବଡ଼ମାନଙ୍କ ‘କରିବା’ ଓ ‘କହିବା’ ଭିତରେ ଫରକ ଆସିଲେ ତାହା ପିଲାମାନଙ୍କ ଦ୍ୱାରା ଗ୍ରହଣୀୟ ହୁଏ ନାହିଁ।
ପିଲାଙ୍କ ଭିତରେ ଭଲଗୁଣ ବିକଶିତ କରିବା ପାଇଁ ମାତାପିତା ନିଜେ ପ୍ରଥମେ ସଦ୍‌ବ୍ୟବହାର କରିବା ସହ ସେମାନଙ୍କୁ ଅଭିଜ୍ଞ ବୟସ୍କ ବ୍ୟକ୍ତିଙ୍କ ସହିତ ସମୟ ବିତେଇବାର ସୁଯୋଗ ଦେବା ଆବଶ୍ୟକ। ଯଦ୍ଦ୍ବାରା ସେମାନେ ତାଙ୍କଠାରୁ ଭଲକଥା ଶିଖିବାର ସୁଯୋଗ ପାଇବେ। ସେମାନଙ୍କ ବିଚାରଧାରା, ମାନବିକ ମୂଲ୍ୟବୋଧରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପରିଣାମ ନିଜ ପରିବାର, ଗୁରୁଜନ, ପାଖପଡ଼ୋଶୀ ଏବଂ ଶେଷରେ ସମଗ୍ର ମଣିଷ ସମାଜ ପ୍ରତି ପିଲାମାନଙ୍କର ସମ୍ମାନ ଏବଂ ଆଦର କେଇଗୁଣା ବୃଦ୍ଧି ପାଇବ। ପିଲାଙ୍କ ଅନ୍ତରରେ ଶୁଦ୍ଧ ଏବଂ ସୁସ୍ଥ ଭାବନା ରହିଲେ ସେମାନେ କେବେହେଲେ ପରିବାର ସଦସ୍ୟ, ଆତ୍ମୀୟ କିମ୍ବା ଯେକୌଣସି ବର୍ଗର ଲୋକଙ୍କୁ ଅସମ୍ମାନ କିମ୍ବା ଅସଦାଚରଣ କରିବେ ନାହିଁ। ଆମର କୋମଳମତି ପିଲାମାନେ ଏବଂ ଆମ ଯୁବପିଢ଼ି ଭବିଷ୍ୟତରେ ନିଜ ପରିବାର ସଦସ୍ୟଙ୍କୁ ବୋଝ ନ ଭାବି ନିଜର ସାମର୍ଥ୍ୟ ମଣିବେ।
ଏବେ ଖବରକାଗଜ ଏବଂ ଟିଭି ଚ୍ୟାନେଲଗୁଡ଼ିକରେ ନିଜ ଘରୁ ମାତାପିତା ଅବହେଳିତ ହୋଇ ବାହାରେ ବ୍ରିଜ୍‌ ତଳେ କିମ୍ବା ଫୁଟ୍‌ପାଥ୍‌ରେ ଦିନ ବିତେଇବା ଖବର ଓ ଦୃଶ୍ୟ ହୃଦୟବିଦାରକ। ମାତାପିତାଙ୍କର କଷ୍ଟାର୍ଜିତ ସମ୍ପତ୍ତିକୁ ଭୋଗ କଲାପରେ ତାଙ୍କୁ ତାଙ୍କରି ସମ୍ପତ୍ତିରୁ ବେଦଖଲ କରି ସେଥିରେ ଆରାମରେ ଚଳିବା ଜଣେ କୃତଘ୍ନ ହିଁ କରିପାରେ। ତଥାପି ସେ ମା’ବାପା ନିଜର ଅଯୋଗ୍ୟ ସନ୍ତାନମାନଙ୍କୁ ଅଭିଶାପ ଦେଉ ନ ଥିବେ କିମ୍ବା ଖରାପ ବ୍ୟବହାର କରୁ ନ ଥିବେ। ଏବେ ବି ତାଙ୍କର ମନର କେଉଁ କୋଣରେ ଗୋଟିଏ ଆଶା ଥିବ ଯେ ତାଙ୍କ ପିଲାମାନେ ତାଙ୍କୁ ଦିନେ ଆସି ଘରକୁ ଫେରେଇନେବେ।
ବୃଦ୍ଧାଶ୍ରମରେ ମୃତ୍ୟୁକୁ ଅପେକ୍ଷା କରି ଦିନ ଗଣୁଥିବା ମା’ବାପା କ’ଣ ଏହି ଦିନ ପାଇଁ ତାଙ୍କ ସନ୍ତାନମାନଙ୍କୁ ଯୋଗ୍ୟ କରିଥିଲେ? ନିଜ ରକ୍ତକୁ ପାଣି କରି ପିଲାର ଭବିଷ୍ୟତ ପାଇଁ ସଞ୍ଚୟ ଓ ଯୋଜନା କରି ତାକୁ ପ୍ରତିଷ୍ଠିତ କରିଥିବା ମା’ବାପା, ପରିଣତ ବୟସରେ ଖାଇବା ପାଇଁ ମୁଠେ ଏବଂ ରହିବା ପାଇଁ ଉପଯୁକ୍ତ ଖଣ୍ଡେ ସ୍ଥାନ ବି ତାଙ୍କ ସୌଭାଗ୍ୟରେ ନାହିଁ ?
କୁଆଡ଼େ ଯାଉଛି ଆମ ସମାଜ? ବର୍ତ୍ତମାନର ନିର୍ଦ୍ଦୟୀ ସନ୍ତାନମାନେ ଯେତେ ଶୀଘ୍ର ସୁଧୁରିଯିବେ ଭଲ, କାରଣ ଆଗକୁ ସେମାନେ ବି ନ ଭୁଲନ୍ତୁ ଯେ, ଖୁବ୍‌ଶୀଘ୍ର ତାଙ୍କର ମଧ୍ୟ ସେହି ‘ବେଳକାଳ ଆସୁଛି’।
ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri