ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ ହେବାକୁ ଯାଇଥିବା ସମୟରେ ସାନ ଭଉଣୀକୁ ଅଭିଯୁକ୍ତମାନେ ନେଇ ଗଣବଳାତ୍କାର ହୋଇଥିବା ବେଳେ ପୋଲିସ ଏହାକୁ ଖଣ୍ଡନ କରିଛି ।
ପୀଡିତାର ବାପାଙ୍କ ଏତାଲା କ୍ରମେ ପୋଲିସ ଏକ ଅପହରଣ ଓ ବଳାତ୍କାର ମାମଲା (କେସସନଂ ୧୯୦/୨୬)ରେ ରୁଜୁ କରି ମୁଖ୍ଯ ଅଭିଯୁକ୍ତ ଏସ୍.କେ. ମକବୁଲକୁ ଗିରଫ କରି କୋର୍ଟ ଚାଲାଣ କକିଛି । ତେବେ ଘଟଣାରେ ସମ୍ପୃକ୍ତ ଥିବା ୨ଜଣ ଏସ୍.କେ. ଟିପୁ ଓ ଏସ୍.କେ. ଓମାନଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।
ସୂଚନାଯୋଗ୍ଯ, ରବିବାର ଅପରାହ୍ନରେ ଦୁଇ ଭଉଣୀ ଶୌଚ ପାଇଁ ନିକଟସ୍ଥ ନଦୀକୁ ଯାଇଥିଲେ । ଏହି ସମୟରେ ୪ ଯୁବକ ସେଠାରେ ପହଞ୍ଚି ସାନ ଭଉଣୀକୁ ବଳପୂର୍ବକ ଉଠାଇ ନେଇ ବାଇକ ଯୋଗେ ନେଇଯାଇଥିଲେ । ଏହି ଘଟଣାକୁ ନେଇ ବଡ ଭଉଣୀ ପରିବାର ଲୋକକୁ ଜଣାଇବା ପରେ ବହୁ ଖୋଜାଖୋଜି କରିଥିଲେ । ରାତି ପାଖାପାଖି ୧୦ଟା ସମୟରେ ଅଭିଯୁକ୍ତମାନେ ଘର ନିକଟସ୍ଥ ସ୍ଥାନରେ ଛାଡି ଦେଇ ପଳାଇଥିଲେ । ଚେତାଶୂନ୍ଯ ଅବସ୍ଥାରେ ଝିଅକୁ ପାଇ ପରିବାର ଲୋକେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚେତା ଫେରିବା ପରେ ପୀଡିତାର ବୟାନକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ମାମଲାରେ ୨ ଜଣଙ୍କୁ ଅଟକ ରଖି ରାଇରଙ୍ଗପୁର ପୋଲିସ ପଚରାଉଚରା କରୁଛି । ଏନେଇ ଅତିରିକ୍ତ ଏସପି ଦୀପକ ଗୋଚ୍ଛାୟତ କହନ୍ତି, ନାବାଳିକା ଜଣଙ୍କୁ ତାଙ୍କର ଜଣେ ପୁରୁଷ ବନ୍ଧୁ ମୋଟର ସାଇକେଲରେ ଏକ ନିଛାଟିଆ ସ୍ଥାନକୁ ନେଇ ଯୌନ ନିର୍ଯାତନା ଦେଇଥିଲେ । ଅନ୍ୟ ତିନିଜଣ ଯୁବକ ତାଙ୍କୁ ଏଥିରେ ସହଯୋଗ କରିଥିବା ନେଇ ତଦନେତ ଜାରି ରହିଛି ।