ପାଟଣାଗଡ଼,୧୪ା୧୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବାଲିପଟା ଗାଁରେ ଶନିବାର ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ କଥାକୁ କେନ୍ଦ୍ର କରି ସାନ ଭାଇ କାଠରେ ପିଟି ପିଟି ବଡ଼ ଭାଇଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ନନ୍ଦରାଜ ମାଝୀ(୨୮)। ଅଭିଯୁକ୍ତ ସାନ ଭାଇ ପ୍ରେମାନନ୍ଦ (୨୫)ଙ୍କୁ ପୋଲିସ ଅଟକ ରଖିଛି।
ସୂଚନା ଅନୁଯାୟୀ, ବାଲିପଟା ଗାଁରେ କୌଣସି କାରଣକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ସାନ ଭାଇ ପ୍ରେମାନନ୍ଦ ଏକ କାଠରେ ବଡ଼ ଭାଇ ନନ୍ଦରାଜଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କାଠ ମାଡ଼ରେ ନନ୍ଦରାଜ ଗୁରୁତର ହୋଇ ପଡ଼ିଥିଲେ। ତେବେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛ। ଏ ନେଇ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପ୍ରେମାନନ୍ଦଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଅନ୍ୟପକ୍ଷରେ ଅଭିଯୁକ୍ତ ପୂର୍ବରୁ ଏକ ଚୋରି ମାମଲାରେ ଜେଲ ଯାଇ ନିକଟରେ ଘରକୁ ଫେରିଥିବା ଜଣାପଡ଼ିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

