ନୂଆପଡ଼ା, ୮।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଅଧୀନ ସଦର ଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ସହାୟିକା ଶୁକ୍ରବାର ରାତିରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ଧରମବନ୍ଧା ଥାନାରେ ଅଭିଯୋଗ ହୋଇଛି। ମୃତ ଯୁବତୀ ହେଲେ ଧରମବନ୍ଧା ପଞ୍ଚାୟତ କୋଡୋପାଲି ଗ୍ରାମର ମମତା ମାଝୀ (୨୪)।
ସୂଚନା ଅନୁଯାୟୀ, ମମତା ଧରମବନ୍ଧା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ପ୍ରେମ ସମ୍ପର୍କକୁ ନେଇ ସେ ମାନସିକ ଚାପରେ ଥିବା ଆଶଙ୍କା କରାଯାଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏହାର ସତ୍ୟତା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ସୂଚନା ଅନୁସାରେ, ମମତାଙ୍କର ଦୁଇଜଣ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ଆଲୋଚନା ହେଉଥିଲା। ଉଭୟ ଯୁବକ ଏହା ଜାଣିବା ପରେ ପରସ୍ପର ମଧ୍ୟରେ ବିବାଦ ଲାଗି ରହିଥିବା କୁହାଯାଉଛି। ଶୁକ୍ରବାର ଏହି ବିବାଦ ଉଗ୍ରରୂପ ନେବା ପରେ ମମତା ମାନସିକ ଭାରସାମ୍ୟ ହରାଇ ଏଭଳି ପଦକ୍ଷେପ ନେଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ମମତା ହସ୍ପିଟାଲ ପରିସରରେ ରହୁଥିବା ଏକ ଆଜବେଷ୍ଟର ଘରରେ ଥିଲେ। ଶୁକ୍ରବାର ରାତିରେ ସେ ଘର ଭିତରେ ଲୁହା ରେଲିଂରେ ଶାଢ଼ୀ ସାହାଯ୍ୟରେ ଝୁଲି ପଡ଼ିଥିବା ଜଣାପଡ଼ିଛି। ଶନିବାର ସକାଳେ ସେ ଘରୁ ବାହାରକୁ ନ ଆସିବାରୁ ସନ୍ଦେହ ହୋଇଥିଲା। ସ୍ଥାନୀୟ ଲୋକେ କବାଟ ବାଡ଼େଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ନମିଳିବାରୁ ପୋଲିସକୁ ଖବର ଦେଇଥିଲେ।
ପରେ ପୋଲିସ ଉପସ୍ଥିତିରେ କବାଟ ଖୋଲାଯିବା ପରେ ମମତାଙ୍କୁ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲା। ଏନେଇ ପରିବାର ଲୋକେ ଧରମବନ୍ଧା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ଧରମବନ୍ଧା ଓ ନୂଆପଡ଼ା ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆତ୍ମହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି।