ଭୁବନେଶ୍ୱର,୩।୬: ବାଲିଅନ୍ତାରେ ଘଟିଥିବା ଚର୍ଚ୍ଚିତ ବର୍ବରତା ଘଟଣାକୁ ନେଇ ନୂଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୋଗ କରିଥିବା ଯୁବତୀ ଏବଂ ଘଟଣା ସମୟରେ ଫେରିଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଜାତୀୟ ମାନବାଧିକାର ଆୟୋଗ (NHRC) ନିକଟରେ ହାଜର ହୋଇଛନ୍ତି।
ସୂଚନା ଅନୁସାରେ, ଘଟଣାକୁ ଗୁରୁତର ସହ କେସ୍ ନେଇଥିବା NHRC ପକ୍ଷରୁ ଉଭୟଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଯୁବତୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆୟୋଗ ସମ୍ମୁଖରେ ଉପସ୍ଥିତ ହୋଇ ନିଜ-ନିଜ ପକ୍ଷ ରଖିଥିବା ଜଣାପଡ଼ିଛି। ବାଲିଅନ୍ତା ଅଞ୍ଚଳରେ ଘଟିଥିବା ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଘଟଣାକୁ ଗୁରୁତ୍ୱର ସହ ନେଇ NHRC ତଦନ୍ତ ଆରମ୍ଭ କରିଥିବାବେଳେ, ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।
ରାଜଧାନୀ ଉପକଣ୍ଠ ବାଲିଅନ୍ତା ରାମଚନ୍ଦ୍ରପୁର ବ୍ରିଜ୍ ନିକଟରେ ଦୁଇ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଜିଆର୍ପି କନ୍ଷ୍ଟେବଲ ସୌମ୍ୟରଞ୍ଜନଙ୍କୁ ଗାଁ ଲୋକେ ପିଟିପିଟି ମାରିଦେଇଛନ୍ତି। ବଡ଼ କଥା ହେଲା, ପିସିଆର ଭ୍ୟାନ୍ ପହଞ୍ଚିଥିଲେ ମଧ୍ୟ ଅଭିଯୁକ୍ତମାନେ ପୋଲିସ ଉପସ୍ଥିତିରେ ସୌମ୍ୟରଞ୍ଜନଙ୍କ ହାତ, ଗୋଡ଼ ବାନ୍ଧି ବାଉଁଶରେ ଝୁଲାଇ ପିଟିଥିଲେ। ଶେଷରେ ବାଉଁଶରେ ଝୁଲାଇ ଗାଡ଼ିରେ ଲଦି ଗାଁ ଭିତରକୁ ନେଇଥିଲେ। ଫଳରେ ସୌମ୍ୟରଞ୍ଜନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ଘର ମୌଜପୁର ଗ୍ରାମରେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଏନେଇ ବାଲିଅନ୍ତା ପୋଲିସ କେସ୍ ନଂ-୨୧୨/୨୬ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ତନାଘନା କରୁଛି। ଭାଇରାଲ ହୋଇଥିବା ଭିଡିଓରୁ ଅଭିଯୁକ୍ତମାନଙ୍କୁ ପୋଲିସ ଚିହ୍ନଟ କରୁଛି। ଅନ୍ୟପଟେ ଯୁବତୀ ଜଣଙ୍କ ମଧ୍ୟ ମୃତ ସୌମ୍ୟରଞ୍ଜନଙ୍କ ନାମରେ ବାଲିଅନ୍ତା ଥାନାରେ ବଳାତ୍କାର ଉଦ୍ୟମ ଅଭିଯୋଗ କରିଛନ୍ତି। ପୋଲିସ କେସ୍ ନଂ.୨୧୩/୨୬ରେ ଆଉ ଏକ ମାମଲା ରୁଜୁ କରିଛି। ଗାଁରେ ଉତ୍ତେଜନା ପରିସ୍ଥିତି ଲାଗିରହିଥିବାରୁ ବାଲିପାଟଣା, ପାହାଳ ଏବଂ ଅନ୍ୟ ଥାନାର ଅଧିକାରୀଙ୍କୁ ମୁତୟନ କରାଯିବା ସହ ଫୋର୍ସ ମଧ୍ୟ ରଖାଯାଇଛି। ପ୍ରାଥମିକ ତଦନ୍ତରୁ ଯୁବକଙ୍କ ହତ୍ୟା ପଛରେ ତୃତୀୟ ପକ୍ଷଙ୍କ ସମ୍ପୃକ୍ତି ରହିଛି। ସୌମ୍ୟରଞ୍ଜନଙ୍କ ବାଇକ୍ ପଛରେ ବସିଥିବା ଯୁବକଙ୍କ ବୟାନ ନିଆଯାଇଛି। ଭାଇରାଲ ହୋଇଥିବା ଭିଡିଓରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଛି।