ବାତ୍ୟା ‘ଅର୍ଣ୍ଣବ’ ପରେ ଅସହାୟଙ୍କ ସାହା ସାଜିଲେ ଯୁବ ସ୍ବେଚ୍ଛାସେବୀ

ଗଞ୍ଜାମ, ୪।୧୧ (ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଗଞ୍ଜାମ ଅଞ୍ଚଳର ଅନେକ ପରିବାରଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। କାହାର ଘର ବନ୍ୟା ପାଣିରେ ଭାସିଯାଇଛି ତ ଆଉ କାହାର ଘରର ଚାଳ ଓ ଆଜବେଷ୍ଟସ ଉଡ଼ିଯାଇଛି। ଅନେକଙ୍କ ଘରେ ପାଣି ପଶି ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ପିଲାଙ୍କ ବହି ଓ ଖାତା ମଧ୍ୟ ଓଦା ହୋଇଯାଇଛି। ବାତ୍ୟା ଓ ବନ୍ୟାର ପ୍ରଭାବ କମିଥିଲେ ମଧ୍ୟ ବିପନ୍ନ ପରିବାରଙ୍କ ଦୁର୍ଦ୍ଦଶା କମିନାହିଁ।

ଏଭଳି ସମୟରେ ଅସହାୟ ଓ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ଗଞ୍ଜାମ ସହରର ଯୁବ ସ୍ବେଚ୍ଛାସେବୀ ତଥା ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ। ଗତ ୨୯ ତାରିଖଠାରୁ ସେ ନିରନ୍ତର ଭାବେ ବିପନ୍ନ ଓ ଅସହାୟ ପରିବାରଙ୍କୁ ସହାୟତା ଯୋଗାଇ ଆସୁଛନ୍ତି। ଗଞ୍ଜାମ ଏନଏସି ଅନ୍ତର୍ଗତ ୭ ନମ୍ବର ୱାର୍ଡର ବାଲିସାହିରେ ରହୁଥିବା ବାସହୀନ ଅସହାୟ ମହିଳା ସନ୍ତୋଷୀ ନାୟକଙ୍କୁ ଭେଟି ସୁଧୀର ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ଆବାସ ଓ ଗାରିମା ଯୋଜନାରେ ବାସଗୃହ ଯୋଗାଇ ଦେବା ପାଇଁ ତହସିଲଦାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହାପରେ ସୁଧୀର ପାଢ଼ୀଙ୍କ ନେତୃତ୍ୱରେ ଏକ ଟିମ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ୍ର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲା। ସେଠାରେ ବିପନ୍ନ ପରିବାରଙ୍କୁ ଗ୍ରୋସରୀ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ସହାୟତା କାର୍ଯ୍ୟକ୍ରମରେ ଅକ୍ଷୟ ପ୍ରଧାନ, ଉମାଶଙ୍କର ମହାନ୍ତି, ପ୍ରଭାତ ସାହୁ, କରଣ ସାହିର ବିଭୂତି ପଲାଇ, ପପୁ ପଣ୍ଡା ଓ ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 

Share