ଶୁକ୍ରବାର ବାହାରି ଥିଲେ ଘରୁ, ଶନିବାର ମିଳିଲା ମୃତଦେହ

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ସହରର ଗାନ୍ଧୀଛକ ନିକଟ ଏକ ଗଳିରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡିଛି। ମୃତ ଯୁବକ ଜଣକ ବରଗଡ଼ ମଙ୍ଗଳାଝୁମ୍ପୁଡି ବାସିନ୍ଦା ସୁରଜ ନାଗ  ବୋଲି ଚିହ୍ନଟ ହୋଇଛି। ତାଙ୍କ ମୁହଁ ସମେତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଶନିବାର ସକାଳେ ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ତେବେ ମୃତଦେହ ପଡିଥିବା ସ୍ଥାନ ଜିଲା ପୋଲିସ ମୁଖ୍ୟାଳୟଠାରୁ ଅନତିଦୂରରେ ରହିଥିବା ଯୋଗୁ ଘଟଣାଟି ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ସୁରଜ ବରଗଡ଼ ରେଲୱେ ଷ୍ଟେଶନ ରାସ୍ତାର ଏକ ଦୋକାନରେ କାମ କରୁଥିବା ଜଣାପଡିଛି। ସେ ଶୁକ୍ରବାର ଘରୁ ବାହାରି ଫେରି ନ ଥିବା ପରିବାର ଲୋକେ କହିଛନ୍ତି।