ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍ କରି ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଧରାକୋଟ ପୋଲିସ ଗିରଫ କରିଛି। ସେ ହେଲେ କୁସରାବ ଗ୍ରାମର ପବିତ୍ର ମହାକୁଡ଼। ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ କହିଛନ୍ତି।
ଅଭିଯୁକ୍ତ ପବିତ୍ର ସରଧାପୁର ଗ୍ରାମ ପଞ୍ଚାୟତ କଂଗ୍ରେସ ନାମରେ ଏକ ଫେକ ଆଇଡି ଖୋଲି ନାଏବ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନଙ୍କୁ ଭିଡିଓ କଲ କରି ଧମକ ଦେଉଥିଲେ। ତାଙ୍କ ଫଟୋ ସହ ଅନ୍ୟ ଯୁବକଙ୍କ ଫଟୋ ମିଶାଇ ପୋଷ୍ଟ କରିବା ସହ ବାରମ୍ବାର ହାରାଶ କରିବାରୁ ନାଏବ ସରପଞ୍ଚ ଥାନାରେ ଏତଲା ଦେଇଥିଲେ।
ପୋଲିସ ଏକ ମାମଲା(ନଂ.୨୭୦/୨୬) ରୁଜୁ କରି ତଦନ୍ତ କରିଥିଲା। ଥାନା ଅଧିକାରୀ ସ୍ବାଇଁ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପବିତ୍ରଙ୍କୁ କାବୁ କରିଥିଲେ। ସୂଚନାଯୋଗ୍ୟ, ପବିତ୍ର ଦୀର୍ଘ ଦିନରୁ ସରଧାପୁର ସରପଞ୍ଚ ଓ ସମିତିସଭ୍ୟଙ୍କୁ ମଧ୍ୟ ଏହି ଫେକ ଆଇଡିରେ ବଦନାମ କରି ଆସୁଥିଲେ।