ଗାଁ ଦାଣ୍ଡରେ ଗୁଳିକରି ଯୁବକଙ୍କୁ ହତ୍ୟା, ଉତ୍ତେଜନା

ଅମରପାଲି/ସୋନପୁର,୬।୩: ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଟିକିରାପଡ଼ାରେ ଶନିବାର ରାତିରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ଗ୍ରାମର ବାବୁଲୁ ମେହେର(୩୦)ଙ୍କ ମୃତ୍ୟୁ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ପୋଲିସ ବାବୁଲୁଙ୍କ ପଡ଼ୋଶୀ ମୁରଲୀ ମେହେର(୪୦)ଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଜବତ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଘଟଣାକୁ ନେଇ ଟିକିରାପଡ଼ା ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି। ଗ୍ରାମରେ ପୋଲିସ ମୁତୟନ କରାଯାଇଛି। ଏସ୍‌ଡିପିଓ ଧୀରଜ ଚୋପଦାର, ସୁବଳୟା ଥାନା ଆଇଆଇସି କୁଶ ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଳାଇଛନ୍ତି।
ସୂଚନା ଅନୁଯାୟୀ, ବାବୁଲୁ ଓ ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତ ମୁରଲୀଙ୍କ ଘର ପାଖାପାଖି। କୌଣସି ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏ ନେଇ ଉଭୟ ପରିବାର ପକ୍ଷରୁ ପୂର୍ବରୁ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ପୋଲିସ ରିପୋର୍ଟ କ୍ରମେ ଉଭୟ ପକ୍ଷଙ୍କ ମଧ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଶନିବାର ବାବୁଲୁଙ୍କୁ ବୀରମହାରାଜପୁର ଉପଖଣ୍ଡ ମାଜିଷ୍ଟ୍ରେଟ୍‌ ତଥା ଉପଜିଲାପାଳ ସିଆରପିସିର ୧୦୭ ଧାରାରେ ନୋଟିସ୍‌ କରିଥିଲେ। ଏହି ନୋଟିସ୍‌କୁ ନେଇ ସନ୍ଧ୍ୟାରେ ବାବୁଲୁ ଓ ମୁରଲୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମୁରଲୀ ଘରେ ରଖିଥିବା ବନ୍ଧୁକ ଆଣି ଗାଁ ଦାଣ୍ଡରେ ବାବୁଲୁଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ବାବୁଲୁଙ୍କ ଜଙ୍ଘରେ ବାଜି ପ୍ରବଳ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଅଟୋ ଯୋଗେ ବୀରମହାରାଜପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୁବଳୟା ଥାନା ଆଇଆଇସି ପାଣିଗ୍ରାହୀ ସୂଚନା ଦେଇଛନ୍ତି।