କମ୍ପାନୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଗଲା ଯୁବକଙ୍କ ଜୀବନ

ସମ୍ବଲପୁର,୩୦ା୯(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଶ୍ୟାମ ମେଟାଲିକ୍ସରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କମ୍ପାନୀର ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ୧୯ ବର୍ଷିୟ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଝାରସୁଗୁଡା ଜିଲା ଲହଣ୍ଡାବୁଡ ଗ୍ରାମର ଅଭିମନ୍ୟୁ ଭୂୟାଁ।

ଅଭିଯୋଗ କ୍ରମେ ଅଭିମନ୍ୟୁ ନିଜ ସମ୍ପର୍କିୟ ଘର ନିଶାନଭଙ୍ଗା ଗ୍ରାମକୁ ଆସିଥିଲେ। ଅପରାହ୍ନରେ ସେ ସାଙ୍ଗମାନଙ୍କ ସହ ଯାଉଥିବାବେଳେ କମ୍ପାନୀ ସୁରକ୍ଷାକର୍ମୀଙ୍କ ଗୁଳି ତାଙ୍କ ଦେହରେ ବାଜିଥିଲା। ସାଙ୍ଗମାନେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ଭିମ୍‌ସାରକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୋଗ ପରେ କମ୍ପାନୀର ସୁରକ୍ଷା କର୍ମୀଙ୍କୁ ଥାନାରେ ଅଟକ ରଖାଯାଇଛି। ଏ ସମ୍ପର୍କରେ ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ୱର ସାହୁ କହିଛନ୍ତି, ଘଟଣା ସମ୍ପର୍କରେ ପୋଲିସ ପାଖରେ ଲିଖିତ ଅଭିଯୋଗ ହୋଇନାହିଁ। ସୁରକ୍ଷା କର୍ମୀଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। କେଉଁ ପରିସ୍ଥିତିରେ ଗୁଳି ଚଳାଇଲେ ସେ ନେଇ ତଦନ୍ତ କରାଯାଉଛି ବୋଲି କହିଥିଲେ।