ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି ପ୍ରେମିକଙ୍କ ମାତାପିତା । ଏଭଳି ସ୍ଥିତିରେ ନାବାଳିକାଙ୍କ ପରିବାର ଉତକ୍ଷିପ୍ତ ହୋଇ ଯୁବକଙ୍କ ଘରେ କେହି ନଥିବାବସ୍ଥାରେ ଘରେ ପଶି ବିଭିନ୍ନ ସାମଗ୍ରୀ ଭାଙ୍ଗି ଛିନଛତ୍ର କରି ଫେରିଯାଇଥିବାର ସୂଚନା ମିଳିଛି ।

ଘଟଣାଟି ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ କାଁଥିଭଉଁରୀ ଗ୍ରାମରେ । ନାବାଳିକାଙ୍କ ପରିବାର ପକ୍ଷରୁ ଭୋଗରାଇ ଥାନାରେ ତାଙ୍କ ଝିଅଙ୍କୁ ଅପହରଣ ହୋଇଥିବାର ଏତଲା ଦେବାପରେ ପୋଲିସ ନାବାଳିକା ଅପହରଣ ଆଇନରେ ମାମଲା ୠଜୁକରି ପ୍ରାଥମିକ ତଦନ୍ତ ଜାରିରଖିଥିବାର ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ ଅଧୀନ କାନ୍ଥିଭଉଁରୀ ପଞ୍ଚାୟତର କାନ୍ଥିଭଉଁରୀ ଗ୍ରାମର ଜଣେ ଯୁବକ ୧୦ ଦିନ ତଳେ ନିକଟସ୍ଥ ଜୟରାମପୁର ଗ୍ରାମର ଜଣେ ନାବାଳିକାଙ୍କୁ ନେଇ ଛୁମାରିଥିବାର ଥାନାରେ ଅଭିଯୋଗ ହୋଇଛି । ଯୁବକ ଓ ନାବାଳିକାଙ୍କ ସନ୍ଧାନ ପାଇ ଜଗନ୍ନାଥଙ୍କ ପରିବାର ଉପରେ ଚାପ ବଢ଼ିଥିବା କୁହାଯାଉଛି । ବୁଧବାର ମଧ୍ୟାହ୍ନରେ ଝିଅ ବାପ ଘର କିଛି ଲୋକ ଘରେ କେହି ନଥିବାବସ୍ଥାରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ଆସବାବପତ୍ର, ଘରୋଇ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷପତ୍ରକୁ ଭାଙ୍ଗିବା ସହିତ ବାହାରକୁ ଫିଙ୍ଗିଦେବା ପାଲଟା ଅଭିଯୋଗ ଯୁବକର ବିବାହିତା ଭଉଣୀ ଝରଣା ଦେଉରୀ ଥାନାରେ ଅଭିଯୋଗ କରିଛନ୍ତି ।

ଭଙ୍ଗାରୁଜା ଘଟଣାରେ କିଏ କିଏ ସମ୍ପୃକ୍ତ ରହିଛନ୍ତି ଏବଂ କେତେ ପରିମାଣର କ୍ଷତି ଘଟିଛି, ତାହାର ତଦନ୍ତ ପୋଲିସ କରୁଥିବାର ସୂଚନା ମିଳିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏବେ ଆଇନଗତ ଓ ସାମାଜିକ ସ୍ତରରେ ନୂଆ ମୋଡ଼ ନେଇଛି ।

 

Dharitri – Odisha’s No.1 Odia Daily

Share