ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା

ସାକ୍ଷୀଗୋପାଳ,୩୧।୩: ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳର ଦାଶବିଦ୍ୟାଧରପୁର ପଞ୍ଚାୟତରେ ବୁଧବାର ଜଣେ ଯୁବକକୁ ଭୁଜାଲିରେ ହାଣି ନର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଡିହପୁର ଗ୍ରାମର କୃଷ୍ଣ ଚନ୍ଦ୍ର ରାଉତ। କୃଷ୍ଣଙ୍କୁ ଦାଶବିଦ୍ୟାଧରପୁର ଗ୍ରାମର ପଦୁ ଦାସ ହତ୍ୟା କରିଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ ପୂର୍ବରୁ ବିବାଦ ଥିଲା। ସୂଚନାଯୋଗ୍ୟ, ମଧ୍ୟାହ୍ନରେ ପରସ୍ପର ମଧ୍ୟରେ ବଚସା ହୋଇଥିଲା। ଏଥିରେ ପଦୁ ଉତ୍‌କ୍ଷିପ୍ତ ହୋଇ ଏକ ଭୁଜାଲିରେ କୃଷ୍ଣଙ୍କୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ। ଫଳରେ କୃଷ୍ଣ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପୁରୀ ଜିଲା ହସ୍ପିଟାଲକୁ ପଠାଇଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।