ଟଙ୍କା କାରବାରକୁ କେନ୍ଦ୍ର କରି ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ: ହାତ, ଗୋଡ଼କୁ ହାଣିଲେ….

ଭୁବନେଶ୍ୱର,୩୦।୬: ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅଞ୍ଚଳରେ ଟଙ୍କା କାରବାରକୁ କେନ୍ଦ୍ରକରି ଜଣେ ଯୁବକଙ୍କ ଉପରେ ମାରଣାନ୍ତକ ଆକ୍ରମଣ ଘଟିଛି। ମୂଳାପଡ଼ିଆ ନିକଟରେ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଯୁବକଙ୍କ ହାତ ଓ ଗୋଡ଼କୁ ହାଣି ଗୁରୁତର କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଟଙ୍କା ଦେଣନେଣକୁ ନେଇ ଉଭୟ ପକ୍ଷ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ସୋମବାର ଏହି ବିବାଦ ଉଗ୍ର ରୂପ ନେବା ପରେ କିଛି ଯୁବକ ମୂଳାପଡ଼ିଆ ନିକଟରେ ସମ୍ପୃକ୍ତ ଯୁବକଙ୍କୁ ଅଟକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ତାଙ୍କ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଘଟଣା ସମ୍ପର୍କରେ ଲିଙ୍ଗରାଜ ଥାନାରେ ଅଭିଯୋଗ ହେବା ପରେ  ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଆକ୍ରମଣରେ ବ୍ୟବହୃତ ଅସ୍ତ୍ର ଜବତ କରିବା ସହ ଘଟଣାର ପ୍ରକୃତ କାରଣ ଏବଂ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଚଳାଇଛି।

ଦିନଦ୍ୱିପ୍ରହରରେ ଏଭଳି ମାରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଲିଙ୍ଗରାଜ ପୋଲିସ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନାନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି।

Dharitri – Odisha’s No.1 Odia Daily

 

Share