ଛତ୍ରପୁର, ୧୧।୭ (ଦିଲ୍ଲୀପ ସାମଲ): ନିଜ ଘରର ଛାତ ଉପରେ କାମ କରୁଥିବା ବେଳେ ଛାତରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ବରପାଲି ଗ୍ରାମରେ ଘଟିଛି।
ମୃତ ଯୁବକ ହେଲେ ବିକାଶ ଛୋଟରାୟ (୨୧)। ସୂଚନା ଅନୁଯାୟୀ, ଶନିବାର ବିକାଶ ନିଜ ଘରର ଛାତ ଉପରେ କାମ କରୁଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯିବାରୁ ସେ ତଳକୁ ପଡ଼ିଯାଇଥିଲେ। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିକାଶଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଛତ୍ରପୁର ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।