ପଦ୍ମପୁର,୨୪ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ବୁଡେନ ଥାନା ଅନ୍ତର୍ଗତ ଗଡ଼ଭାଟି ଗ୍ରାମର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ଛୁରାମାଡ଼ କରାଯାଇଥିବା ଅଭିଯୋଗରେ ବୁଡେନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଆହତ ଯୁବକ ପ୍ରଦୀପ ମେହେରଙ୍କ ଏତଲା ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ଗତ ୨୨ ଜୁନ୍ରେ ଅପରାହ୍ନରେ ପ୍ରଦୀପ ମେହେର ବୁବୁଡା ନାଲା ନିକଟକୁ ଯାଇଥିବା ବେଳେ କିଛି ବ୍ୟକ୍ତି ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କୁ ଛୁରିରେ ଆକ୍ରମଣ କରାଯାଇଥିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି।
ପ୍ରଦୀପ ମେହେର ତାଙ୍କ ଅଭିଯୋଗରେ ମନୋଜ ବରିହା ଓ ତାଙ୍କର କିଛି ସହଯୋଗୀଙ୍କ ନାମ ଉଲ୍ଲେଖ କରିଥିବା ଜଣାପଡ଼ିଛି। ଘଟଣାକୁ ଗୁରୁତର ସହ ନେଇ ବୁଡେନ ଥାନା ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରା ଅନୁଯାୟୀ ମାମଲା ନଂ ୮୨/୨୦୨୬ ରୁଜୁ କରିଛି।
ବୁଡେନ ଥାନା ଏସ୍ଆଇ ଶରତ କୁମାରଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଥିବା ବେଳେ ଘଟଣାର ପ୍ରକୃତ କାରଣ, ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତି ଓ ଅନ୍ୟାନ୍ୟ ତଥ୍ୟ ନେଇ ପୋଲିସ ତଦନ୍ତ ଜାରି ରଖିଛି।