ସ୍କ୍ରବ୍‌ ଟାଇଫସ୍‌ ନେଲା ଯୁବକଙ୍କ ଜୀବନ

ଟିଟିଲାଗଡ଼,୨୯।୯(ଶରତ ମିଶ୍ର): ସ୍କ୍ରବ୍‌ ଟାଇଫସ୍‌ର ଶିକାର ହୋଇ ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଭାଲେଗାଁ ପଞ୍ଚାୟତର ବାଗଡେର ଗ୍ରାମର ହିମାଂଶୁ ସାହୁ(୩୫)ଙ୍କ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଗୁରୁବାର ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ କୋକୁଆଭୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ମୁତାବକ, ଅଗଷ୍ଟ ୨୮ରେ ହିମାଂଶୁଙ୍କୁ ଜ୍ୱର ହୋଇ ସେ ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ୨୯ରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାକୁ ଆଣି ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ ନେଇଥିଲେ। ହେଲେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ନ ହେବାରୁ ପୁଣି ଚଳିତ ମାସ ୪ରେ ଟିଟିଲାଗଡ଼ ଆଣି ରକ୍ତ ପରୀକ୍ଷା କରିଥିଲେ। ତାପରେ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ହେବାରୁ ତାଙ୍କୁ ୮ତାରିଖରେ କେସିଙ୍ଗା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ହିମାଂଶୁଙ୍କୁ ୧୧ ତାରିଖରେ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାକୁ ଓ ୧୪ରେ ବୁର୍ଲା ପଠାଯାଇଥିଲା। ହେଲେ ସେଠାରେ ସ୍ବାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାରୁ ୧୭ରେ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ଆଣି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ୧୮ତାରିଖରେ ପରୀକ୍ଷା ପରେ ହିମାଂଶୁ ସ୍କ୍ରବ୍‌ ଟାଇଫସ୍‌ର ଶିକାର ହୋଇଥିବା ଜଣାପଡିଥିଲା। ସେତେବେଳକୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ଡାକ୍ତର ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ। ୧୦ ଦିନ ଜୀବନ ସହ ସଂଘର୍ଷ ପରେ ହିମାଂଶୁ ଗୁରୁବାର ରାତିରେ ଡାକ୍ତରଖାନାରେ ଆଖି ବୁଜିଥିଲେ। ଶୁକ୍ରବାର ତାଙ୍କ ମୃତଦେହ ଗଁାକୁ ଅଣାଯାଇ ସତ୍କାର କରାଯାଇଛି। ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ସେମାନେ ଗୋଟିଏ ସରକାରୀ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖାନା ଘୂରି ବୁଲୁଥିବା ବେଳେ କେଉଁଠାରେ ମଧ୍ୟ ରୋଗ ଚିହ୍ନଟ ହୋଇପାରିଲା ନାହିଁ କି ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଗଲା ନାହିଁ। ଡାକ୍ତର ବିଭିନ୍ନ ପରୀକ୍ଷା ପାଇଁ ପରାମର୍ଶ ଦେଉଥିବାବେଳେ ସ୍କ୍ରବ୍‌ ଟାଇଫସ୍‌ ପରୀକ୍ଷା କରାଗଲା ନାହିଁ। ହିମାଂଶୁ ଜଣେ ଅଟୋ ଡ୍ରାଇଭର ଥିଲେ। ହିମାଂଶୁଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଶିଶୁ ଅସହାୟ ହୋଇପଡିଛନ୍ତି। ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଭାଲେଗାଁ ସରପଞ୍ଚ ଯୁଗଲ କିଶୋର ସାହୁ, ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ ପ୍ରମୁଖ ଦାବି କରିଛନ୍ତି।