କେନ୍ଦ୍ରାପଡ଼ା, ୫ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ଉପର ତାଲା ଶିଡି ରେଲିଂରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ଡେରାବିଶ ବ୍ଲକ ନିକିରାଇ ଥାନା ରାୟତୁଣ୍ଡ ଗାଁର ମୂଳ ବାସିନ୍ଦା ତଥା କେନ୍ଦ୍ରାପଡ଼ା ସହର ବାସୁଳେଇଠାରେ ରହୁଥିବା ଶ୍ରୀଚନ୍ଦନ ଦାସ ଓରଫ କାଳିଆ। ମାର୍ଶାଘାଇ ଥାନାରେ କନ୍ଷ୍ଟେବଲ ଭାବେ କାର୍ଯ୍ୟରତ ଭଉଣୀ ଲଲିକା ଦାସ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ମୃତ୍ୟୁର କାରଣ ସମ୍ପର୍କରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ଶ୍ରୀଚନ୍ଦନଙ୍କ ବାପା ଭରତଙ୍କ ଏତଲାରେ କୌଣସି ସ୍ପଷ୍ଟତା ନାହିଁ।
ତେବେ ଏହି ଘଟଣାରେ ପ୍ରଶାସନିକ ଅବହେଳା ମୁଖ୍ୟତଃ ଦାୟୀ ବୋଲି ଆଲୋଚନା ହେଉଛି। ଆଲୋଚନା ଅନୁଯାୟୀ ଭରତଙ୍କର ଦୁଇ ପୁଅ ଓ ଦୁଇ ଝିଅ। ସାନପୁଅ ଶ୍ରୀଚନ୍ଦନ ଘରୋଇ ଆମ୍ବୁଲାନ୍ସ ଚଳାନ୍ତି। ଗତ କିଛି ଦିନ ହେବ ଆର୍ଥିକ ଦୁଃସ୍ଥିତିରେ ଥିଲେ। ଅନୁସୂଚିତ ଜାତି ହୋଇଥିବାରୁ ଆର୍ଥିକ ଦୁଃସ୍ଥିତିରୁ ମୁକୁଳିବା ପାଇଁ ସେ ଜମି ବିକିବାକୁ ବାରମ୍ବାର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅନୁମତିପତ୍ର ଲୋଡୁଥିଲେ। ଉପଜିଲାପାଳ ତାଙ୍କର ଆବେଦନ ପତ୍ରକୁ ଗୁରୁତ୍ୱ ନ ଦେଇ ଫେରାଉଥିଲେ। ପୂର୍ବାହ୍ନରେ ସେ ପ୍ରଥମେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରୁ ତିରସ୍କାର ମିଳିବାରୁ ଜିଲାପାଳଙ୍କୁ ଭେଟିଥିଲେ। ଜିଲାପାଳ ତାଙ୍କୁ ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ। ହେଲେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରୁ ତାଙ୍କୁ ଧକ୍କା ଦେଇ ବାହାର କରି ଦିଆଯାଇଥିଲା। ଏହାପରେ ବହୁ ସମୟ ଧରି ବସି ରହିବା ପରେ କାର୍ଯ୍ୟାଳୟ କୋଠାରେ ସେ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି। ଏ ସମ୍ପର୍କରେ ଉପ ଜିଲାପାଳ ଅରୁଣ କୁମାର ନାୟକ କହିଛନ୍ତି, ଶ୍ରୀଚନ୍ଦନଙ୍କ କୌଣସି ପ୍ରକାର କାଗଜ କାର୍ଯ୍ୟାଳୟରେ ନାହିଁ। ଜିଲାପାଳ ରଘୁରାମ ଆର. ଆୟାର କହିଛନ୍ତି, ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଜିଲା ପୋଲିସ ପ୍ରତ୍ୟେକ ଦିଗକୁ ଲକ୍ଷ୍ୟ ରଖି ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟାଉନ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ କହିଛନ୍ତି, ଭରତଙ୍କ ଅଭିଯୋଗ ପତ୍ରକୁ ଭିତ୍ତିକରି ଏକ ଅପମୃତ୍ୟୁ ମାମଲା(ନଂ. ୫/୨୬)ରୁଜୁ ହୋଇ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି।