ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ ଶିବିରକୁ ଉଦ୍ଘାଟନ କରିଥିଲେ। ସେ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଆଲୋକପାତ କରିବା ସହ ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ ବୋଲି କହିଥିଲେ। ଏହା ପ୍ରତି ସମସ୍ତେ ସଚେତନ ହେବାକୁ ସେ ଆହ୍ୱାନ କରିଥିଲେ।
ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଜିଲାପାଳ ଉମାଶଙ୍କର ବେହେରା, ଡେପୁଟି ସବ୍-କଲେକ୍ଟର ଟୁଲି ଆମ୍ମା ପ୍ରଧାନ, ଡେପୁଟି କଲେକ୍ଟର ରଚିତା ମହାପାତ୍ର, ବିଡିଓ ଭାରତୀ ଦେବୀ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମାହାର ଏବଂ ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଏଥିସହ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଗଗନ ବିହାରୀ ପୁରୋହିତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଯୋଗର ଉପକାରିତା ସମ୍ପର୍କରେ ଅବଗତ କରାଇବା ସହ ଯୋଗାଭ୍ୟାସ କରାଇଥିଲେ। ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍), ଏନ୍ସିସି ଏବଂ ଯୁବ ରେଡକ୍ରସ୍ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସେହିପରି ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଆୟୋଜିତ ଯୋଗ ଶିବିରରେ ଅଧ୍ୟକ୍ଷ ପ୍ରଦୀପ କମାନୁ ଛାତ୍ରୀଛାତ୍ରଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିବା ବେଳେ ଅଧ୍ୟକ୍ଷା ଛାତ୍ରୀଛାତ୍ରଙ୍କୁ ଯୋଗର ବିଭିନ୍ନ କୌଶଳ ଓ ସ୍ୱାସ୍ଥ୍ୟଗତ ଉପକାରିତା ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ।
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ଯୋଗାଭ୍ୟାସ କରାଯାଇଥିବା ବେଳେ ଶତାଧିକ ଛାତ୍ରୀଛାତ୍ର, କର୍ମଚାରୀ ଓ ସାଧାରଣ ଜନତା ଏଥିରେ ଅଂଶଗ୍ରହଣ କରିଥିଲେ।