ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା: ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୫ଟି ଜିଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ୟେଲୋ ଓ୍ବାର୍ନିଂ ଜାରି କରିଛି। ସେହି ସବୁ ଜିଲାଗୁଡିକ ହେଲା କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା । ଏହି ସବୁ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହିତ ୪୦ ରୁ ୫୦ କିମି ବେଗରେ ଘଣ୍ଟା ପ୍ରତି ପବନର ବେଗ ରହିବ ।
ସେହିପରି ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ ଜିଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ କୁଆପଥର ବର୍ଷା ସହ ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଘଣ୍ଟା ପରେ ଉପକୂଳ ଓଡ଼ଶାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଆଦି ୯ଟି ଜିଲାକୁ ୟେଲୋ ଓ୍ବାର୍ନିଂ ପାଣିପାଗ ବିଭାଗ ଜାରି କରିଛି । ରାଜ୍ୟର ଅନେକ ସ୍ଥାନରେ ଦିନରେ ତାପମାତ୍ରା ଅଧିକ ରହିବା ଫଳରେ ଗରମ ଅନୁଭୂତ ହେଉଛି।