ବର୍ଷେ ପରେ ମିଳିଲା ପରିଚୟ: ପରିବାର ସହ ଆସାମ ଗଲେ ମହିଳା

ଲଖନପୁର,୨୪।୧: ଝାରସୁଗଡ଼ା ଜିଲା କଣ୍ଟାପାଲିଠାରେ ଜିଲା ପ୍ରଶାସନ ତରଫରୁ ଜିଲା ଖଣିଜ ପାଣ୍ଠି ଅନୁଦାନରେ ଏକ ମାନସିକ ଅନଗ୍ରସର (ମହିଳା)ଙ୍କ ଥଇଥାନ ପାଇଁ ମିଶନ ଆଶ୍ରା ନାମକ ଏକ ଆଶ୍ରୟ ସ୍ଥଳୀ ଖୋଲାଯାଇଛି। ଏହି ଆଶ୍ରୟ ସ୍ଥଳୀକୁ ପରିଚାଳନା କରୁଛି ପିପୁଲ୍‌ସ ଫୋରମ୍‌ ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ। ଏଠାରେ ୧ବର୍ଷ ହେଲା ରହୁଥିବା ଜନୈକା ଅନ୍ତେବାସୀଙ୍କ ପରିଚୟ ମିଳିଛି । ଅନ୍ତେବାସୀ ଜଣକ ହେଲେ ସୁଦୂର ଆସାମ ରାଜ୍ୟ ଉଦଲଗୁରି ଜିଲା ଥରାଇବାରି ଗ୍ରାମର ମାଳତୀ ବସୁମତାରୀ(୪୦) ଓରଫ୍‌ କିମୀ। ଏ ସମ୍ପର୍କରେ ମିଶନ ଆଶ୍ରା କେନ୍ଦ୍ର ପକ୍ଷରୁ ଆସାମ ପୋଲିସ୍‌ର ସହାୟତା ନେଇ ଅନ୍ତେବାସୀଙ୍କ ପରିବାରଙ୍କୁ ସୂଚନା ଦିଆଯାଇଥିଲା। ଖବର ପାଇ ଅନ୍ତେବାସୀଙ୍କ ସ୍ବାମୀ, ଦିଅର ଓ ସମ୍ପର୍କୀୟମାନେ ଝାରସୁଗୁଡ଼ାରେ ପହଞ୍ଚିଥିଲେ । ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଓ ପିପୁଲ୍ସ ଫୋରମ୍‌ ପଶ୍ଚିମ ଓଡ଼ିଶା ମୁଖ୍ୟ ସଞ୍ଜୟ ଜେଠୀଙ୍କ ଉପସ୍ଥିତିରେ ଅନ୍ତେବାସୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଦୀର୍ଘ ବର୍ଷେ ପରେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ପାଇଥିବାରୁ ଭାବବିହ୍ବଳ ହୋଇପଡିଥିଲେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇଥିଲେ। ଏ ନେଇ ମିଶନ ଆଶ୍ରା ତରଫରୁ ଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତି ଅତିରିକ୍ତ ଜିଲାପାଳ ସାହୁ ଅନ୍ତେବାସୀ ମହିଳାଙ୍କୁ ପ୍ରଦାନ କରିଥିଲେ।
ମହିଳାଙ୍କ ସ୍ବାମୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ସ୍ତ୍ରୀ ମାନସିକ ଅନଗ୍ରସର ହୋଇଥିବାବେଳେ ତାଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେ ସେଠାରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ଏ ନେଇ ପରିବାର ଲୋକେ ସ୍ଥାନୀୟ ପୋଲିସକୁ ଜଣାଇଥିଲେ। ଏଭଳି ସ୍ଥିତିରେ ମାନସିକ ଅନଗ୍ରସର ମହିଳା ଜଣକ ଆସାମରୁ ଟ୍ରେନ ଯୋଗେ ଓଡ଼ିଶା ଚାଲିଆସି ଝାରସୁଗୁଡା ସହରରେ ବୁଲାବୁଲି କରୁଥିଲେ। ଖବର ପାଇ ଝାରସୁଗୁଡ଼ା ଥାନା ପୋଲିସ ମହିଳାଙ୍କୁ ଉଦ୍ଧାର କରି ମିଶନ ଆଶ୍ରାରେ ରଖିଥିଲେ। ମିଶନ ଆଶ୍ରା ପକ୍ଷରୁ ମାନସିକ ଅନଗ୍ରସର ମହିଳାଙ୍କ ଚିକିତ୍ସା କରାଯିବା ସହ ସମ୍ପୂର୍ଣ୍ଣ ଠିକଣା ଜାଣିବା ପାଇଁ ତାଙ୍କ ସହିତ କାଉନ୍‌ସେଲିଂ ଚାଲିଥିଲା। ବର୍ଷେ ପରେ ମହିଳା ଜଣଙ୍କ ତାଙ୍କ ଘର ଠିକଣା କହିଥିଲେ ।