ଧାମରା ପାଖରେ ଅତିକ୍ରମ କରିବ ୟାସ୍‌

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବାତ୍ୟା ୟାସ୍‌ ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ । ଆସନ୍ତାକାଲି ଭୋର ସୁଦ୍ଧା ଧାମରା ପାଖରେ ଏହା କେନ୍ଦ୍ରୀଭୂତ ହେବ । ୨୬ ତାରିଖ ଦ୍ୱିପ୍ରହରରେ ୟାସ୍‌ ସ୍ଥଳଭାଗ ଅତିକ୍ରମ କରିବ । ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।
ତେବେ ମଙ୍ଗଳବାର ଅପରାହ୍ନରେ ଭେରି ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ଅଛି। ଏହା ଅତି ଭୀଷଣକାୟ ରୂପ ଧରି ୨୬ ତାରିଖ ସକାଳେ ଚାନ୍ଦବାଲି ଓ ଧାମରା ବନ୍ଦର ନିକଟରେ ପହଞ୍ଚିବ । ମଧ୍ୟାହ୍ନ ସୁଦ୍ଧା ବାତ୍ୟା ଏହି ଅଞ୍ଚଳ ଅତିକ୍ରମ କରିବ। ତେବେ ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟନ ଅନୁସାରେ ଏହା ପାରାଦୀପରୁ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି । ୨୬ ତାରିଖ ମଧ୍ୟାହ୍ନରେ ଧାମରା ପାଖରେ ବାତ୍ୟା ୟାସ୍‌ ସ୍ଥଳଭାଗ ଅତିକ୍ରମ କରିବ। ଏନେଇ ଆଇଏମ୍‌ଡି ଡିଜ ସୂଚନା ଦେଇଛନ୍ତି।
ଗତ ୬ ଘଣ୍ଟାରେ ଧରି ଏହା ୯ କିଲୋମିଟର ବେଗରେ ବଙ୍ଗୋପସାଗରର ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଯଦି ଏହି ଗତି ଜାରି ରହେ, ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ବେଳେ ବେଳେ ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।