ଭୁବନେଶ୍ୱର,୧୮।୯(ବ୍ୟୁରୋ): ବିଶିଷ୍ଟ ସାହିତି୍ୟକା ଯଶୋଧାରା ମିଶ୍ରଙ୍କୁ ତାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ସମୁଦ୍ରକୂଳ ଘର’ ପାଇଁ ଶନିବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ ବର୍ଷ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି। ଦିଲ୍ଲୀର ଫିରୋଜ ସାହା ରୋଡ୍ସ୍ଥିତ କୋମାନୀ ହଲ୍ଠାରେ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଓଡ଼ିଆ ସମେତ ୨୪ଟି ଭାଷାର ଲେଖକ, ଲେଖିକାଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋ ବିଶ୍ୱନାଥ ତିଓ୍ବାରୀ ଯୋଗ ଦେଇଥିଲେ। ଏକାଡେମୀ ସଭାପତି ଚନ୍ଦ୍ରଶେଖର କମ୍ବାର ସଭାପତିତ୍ୱ କରିଥିବା ବେଳେ ସଚିବ କେ. ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଓ ଉପସଭାପତି ମାଧବ କୌସିକ୍ ଧନ୍ୟବାଦ ଅର୍ପଣ କରିଥିଲେ। ଯଶୋଧାରା ଏକାଡେମୀ ସଭାପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବାବଦରେ ସମସ୍ତଙ୍କୁ ୧ଲକ୍ଷ ଟଙ୍କାର ଚେକ୍ ସହ ମାନପତ୍ର ଓ ତାମ୍ର ଫଳକ ପ୍ରଦାନ କରାଯାଇଛି।
ଯଶୋଧାରାଙ୍କ ‘ସମୁଦ୍ରକୂଳ ଘର’ ପୁସ୍ତକରେ ୭ଟି ଗଳ୍ପ ସନ୍ନିବେଶିତ ହୋଇଛି। ଏଗୁଡିକ ବିଭିନ୍ନ କାଳ୍ପନିକ କାହାଣୀକୁ ନେଇ ଚିତ୍ରଣ କରାଯାଇଛି। ଏସବୁ ଗଳ୍ପରେ ଦୈନନ୍ଦିନ ଜୀବନରେ ମଣିଷ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ଅତି ନିଚ୍ଛକ ଭାବେ ଏକାଧିକ ଚରିତ୍ରଙ୍କ ଭାବବିନିୟମ ମାଧ୍ୟମରେ ବର୍ଣ୍ଣନା କରାଯାଇଛି।