ନୂଆଦିଲ୍ଲୀ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୧୯ ତାରିଖରୁ ୱେଲିଂଟନର ବେସିନ ରିଜର୍ଭରେ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡର ଅଧା ଦଳ ଶୀଘ୍ର ପ୍ୟାଭିଲିୟନ ଫେରିଯାଇଥିଲା। ତେବେ ଏହାପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦିନର ଖେଳ ଶେଷ ସୁଦ୍ଧା ୫ ଉଇକେଟ୍ ହରାଇ ୨୪୩ ରନ ସଂଗ୍ରହ କରିଛି କିୱି ଟିମ।
ହେନରୀ ନିକୋଲ୍ସ ଅପରାଜିତ ୧୧୩ ରନ ଏବଂ ଗ୍ଲେନ ଫିଲିପ୍ସ ଅପରାଜିତ ୯୪ ରନର ଇନିଂସ ଖେଳି ଘରୋଇ ଦଳକୁ ମ୍ୟାଚକୁ ଫେରାଇ ଆଣିଛନ୍ତି। ଅନ୍ୟପଟେ, ପ୍ରଥମ ଦିନର ଖେଳ ସମୟରେ ଯଶସ୍ବୀ ଜୟସ୍ବାଲ ଓ ହେନରୀ ନିକୋଲ୍ସଙ୍କ ମଧ୍ୟରେ ପଡ଼ିଆରେ ତୀବ୍ର ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ଯୁକ୍ତିତର୍କ ଷ୍ଟମ୍ପ ମାଇକ୍ରେ କଏଦ ହୋଇଛି, ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।
ୱେଲିଂଟନ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ମାତ୍ର ୭୦ ରନ ସ୍କୋର୍ରେ ନ୍ୟୁଜିଲାଣ୍ଡର ଅଧା ଦଳକୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ତେବେ ଏହାପରେ ହେନରୀ ନିକୋଲ୍ସ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ଇନିଂସକୁ ସମ୍ଭାଳିଥିଲେ। ଶତକ ହାସଲ କରି ସେ କିୱି ଟିମକୁ ମ୍ୟାଚରେ ପୁଣି ଥରେ ଫେରାଇ ଆଣିଥିଲେ।
ଏହି ସମୟରେ ଯଶସ୍ବୀ ଜୟସ୍ବାଲ ଓ ହେନରୀଙ୍କ ମଧ୍ୟରେ ପଡ଼ିଆରେ ତୀବ୍ର ଯୁକ୍ତିତର୍କ ମଧ୍ୟ ହୋଇଥିଲା। କିୱି ବ୍ୟାଟରଙ୍କ ଧ୍ୟାନ ଭଙ୍ଗ କରିବା ପାଇଁ ଯଶସ୍ବୀ ତାଙ୍କୁ ଉସୁକାଇବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ, ଆପଣ ସତରେ ବହୁତ ଧୀରେ ଖେଳୁଛନ୍ତି ଏବଂ ଆପଣଙ୍କ ଅଧା ଦଳ ଆଗରୁ ଡ୍ରେସିଂ ରୁମ୍କୁ ଫେରିସାରିଛନ୍ତି।
ଏହାର ଜବାବରେ ହେନରୀ କହିଥିଲେ, ନିଜ ଫିଲ୍ଡିଂ ଉପରେ ଧ୍ୟାନ ଦିଅ। ଏହାପରେ ଯଶସ୍ବୀ ପାଲଟା ଜବାବ ଦେଇ କହିଥିଲେ, ଯଦି ମୁଁ ଏଠାରେ ଖେଳୁଥାନ୍ତି, ତେବେ ନିର୍ଭୟରେ ଖେଳିଥାନ୍ତି।
ଏହା ଶୁଣି ହେନରୀ ମଧ୍ୟ କଡ଼ା ଜବାବ ଦେଇ କହିଥିଲେ, ୨୦୨୪ରେ ଆପଣ ଓ ଆପଣଙ୍କ ଦଳ ନିଜ ଘରୋଇ ମାଟିରେ କ’ଣ କରିଥିଲେ, ଆମେ ଦେଖିଛୁ। ସୂଚନାଯୋଗ୍ୟ, ୨୦୨୪ରେ ନ୍ୟୁଜିଲାଣ୍ଡ ଭାରତକୁ ତା’ର ଘରୋଇ ମାଟିରେ ୩-୦ରେ ଟେଷ୍ଟ ସିରିଜରେ ପରାସ୍ତ କରିଥିଲା। ହେନରୀ ଯେତେବେଳେ ଯଶସ୍ବୀଙ୍କୁ ଏହି ପରାଜୟ କଥା ମନେ ପକାଇଦେଲେ, ସେତେବେଳେ ଯଶସ୍ବୀ ଚୁପ ହୋଇଯାଇଥିଲେ।