ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ ସ୍ବତନ୍ତ୍ର ଓ ଭବ୍ୟ ରାଜକୀୟ ଭୋଜିର ଆୟୋଜନ କରାଯାଇଥିଲା। ଏହି ଉଚ୍ଚ-ସ୍ତରୀୟ ଭୋଜିରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ବିଶ୍ୱର ଅନେକ ପ୍ରମୁଖ ନେତା ଯୋଗ ଦେଇଥିଲେ। ତେବେ, ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଭୋଜିରେ ଦେଖିବାକୁ ମିଳିନଥିଲେ। ସି ଜିନପିଙ୍ଗ ଶନିବାର ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଦିନସାରା ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ଅଧିବେଶନଗୁଡ଼ିକରେ ଅଂଶଗ୍ରହଣ କରିଥିଲେ। ଅପରାହ୍ନରୁ ସା ପର୍ଯ୍ୟନ୍ତ ଚାଲିଥିବା ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ପରେ, ସେ ଭୋଜିରେ ଯୋଗ ନ ଦେଇ ବିଶ୍ରାମ ନେବା ପାଇଁ ସିଧାସଳଖ ନିଜ ହୋଟେଲକୁ ଫେରିଯାଇଥିଲେ। ତାଙ୍କ ବ୍ୟତୀତ, ଆବୁଧାବିର କ୍ରାଉନ ପ୍ରିନ୍ସ ଶେଖ ଖାଲେଦ ବିନ ମହମ୍ମଦ ମଧ୍ୟ ଦିନର କାର୍ଯ୍ୟକ୍ରମ ଶେଷ ହେବା ପରେ ନିଜ ଦେଶକୁ ଫେରିଯାଇଥିଲେ, ଫଳସ୍ବରୂପ ସେ ମଧ୍ୟ ଏହି ଭୋଜିରେ ଯୋଗ ଦେଇପାରିନଥିଲେ।
ଭାରତ ମଣ୍ଡପମରେ ଆୟୋଜିତ ଭବ୍ୟ ରାତ୍ରିଭୋଜନରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ବ୍ରିକ୍ସ (BRICS) ସଦସ୍ୟ ଓ ଅଂଶୀଦାର ରାଷ୍ଟ୍ରଗୁଡ଼ିକର ପ୍ରମୁଖ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଉପସ୍ଥିତ ଭାରତୀୟ ନେତାମାନଙ୍କ ମଧ୍ୟରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ଏବଂ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ନିର୍ମଳା ସୀତାରମଣ, ପୀୟୂଷ ଗୋୟଲ, ଅଶ୍ୱିନୀ ବୈଷ୍ଣବ ଓ ଶିବରାଜ ସିଂହ ଚୌହାନ ସାମିଲ ଥିଲେ। ଏହା ବ୍ୟତୀତ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦେବେନ୍ଦ୍ର ଫଡ଼ନବିସ, ଶୁଭେନ୍ଦୁ ଅଧିକାରୀ ଏବଂ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସୁରକ୍ଷା ଓ ପରିବହନ ବ୍ୟବସ୍ଥାର ଅଂଶବିଶେଷ ଭାବରେ, ସମସ୍ତ କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଦୁଇଟି ବସରେ ସଂସଦ ଭବନରୁ ଭାରତ ମଣ୍ଡପମକୁ ଏକାଠି ଯାତ୍ରା କରିଥିଲେ।
ଏହି ଭବ୍ୟ ସାକୁ ଅଧିକ ସ୍ମରଣୀୟ କରିବା ପାଇଁ, ଅନ୍ତର୍ଜାତୀୟ ତଥା ଭାରତୀୟ ଅତିଥିମାନଙ୍କୁ ପ୍ରକୃତ ଭାରତୀୟ ନିରାମିଷ ବ୍ୟଞ୍ଜନର ଏକ ସ୍ବତନ୍ତ୍ର ଥାଳି ପରିବେଷଣ କରାଯାଇଥିଲା। ଭୋଜନର ଶୁଭାରମ୍ଭ ‘ଗୁଜରାଟୀ ଖାଣ୍ଡଭି’ ଏବଂ ଅତ୍ୟନ୍ତ ନରମ ‘ଖୁମ୍ବ ଗାଲୌଟି କେବାବ’ ଭଳି ଷ୍ଟାଟର୍ର୍‌ (ଆରମ୍ଭକ ବ୍ୟଞ୍ଜନ) ସହିତ ହୋଇଥିଲା। ମୁଖ୍ୟ ଭୋଜନରେ ମୁଲାୟମ ‘ପନିର ଲବାବଦାର’, କାଶ୍ମୀରୀ ‘ଗୁଚ୍ଛି ମାର୍ମିକ’, ନଡ଼ିଆ ତେଲରେ ପ୍ରସ୍ତୁତ ଗାଜର-ବିନ ‘ପୋରିୟାଲ’ ଏବଂ ସୁଗନ୍ଧିତ ମିଲେଟ (କ୍ଷୁଦ୍ର ଶସ୍ୟ) ‘ପୁଲାଉ’ ସାମିଲ ଥିଲା। ମିଷ୍ଟାନ୍ନ ପ୍ରେମୀଙ୍କ ପାଇଁ ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଫ୍ରୁଟ କ୍ରିମ, କ୍ରିସ୍ପି (ମୁରମୁରିଆ) ‘ଜଲେବି’ ଏବଂ ସୁନେଲି ପତ୍ରର ସୂକ୍ଷ୍ମ ଆସ୍ତରଣରେ ସଜ୍ଜିତ ମଲବେରୀ ‘ଫର୍ନି’ର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।
ଉଲ୍ଲେଖନୀୟ ଯେ, ଭାରତ ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖରେ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଆୟୋଜନ କରୁଛି। ଏହି ଦୁଇ ଦିନିଆ ବିଶାଳ ସମ୍ମିଳନୀରେ ୧୧ଟି ସଦସ୍ୟ ରାଷ୍ଟ୍ର ଓ ୧୦ଟି ସହଯୋଗୀ ଦେଶର ଶୀର୍ଷ ନେତାଙ୍କ ସମେତ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥା, ପାରସ୍ପରିକ ସହଯୋଗ ଏବଂ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ଏକ ସାମୂହିକ ରଣନୀତି ପ୍ରସ୍ତୁତ କରିବା ପାଇଁ ଆଲୋଚନା ଜାରି ରହିଛି।

Dharitri – Odisha’s No.1 Odia Daily

Share