ନୂଆଦିଲ୍ଲୀ, ୯।୧୧: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଶେଷ ହୋଇଛି। ଏହି ସିରିଜକୁ ୱେଷ୍ଟଇଣ୍ଡିଜ ୧-୦ରେ ନିଜ ନାମରେ କରିଛି। ଢାକାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ ୮ ଉଇକେଟ୍ ବାଂଲାଦେଶକୁ ପରାସ୍ତ କରିଥିଲା। ଅନ୍ୟପଟେ ସିଲହଟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଡ୍ର’ ରହିଥିଲା। ତେବେ ଏହି ସିରିଜ ଶେଷ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ପଏଣ୍ଟ ଟେବୁଲରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି। ବାଂଲାଦେଶକୁ ବଡ଼ ଝଟକା ଲାଗିଥିବା ବେଳେ ଭାରତକୁ ଏହାର ଫାଇଦା ମିଳିଛି।
ପ୍ରଥମ ଟେଷ୍ଟରେ ବାଂଲାଦେଶର ପରାଜୟ ଯୋଗୁ ଭାରତକୁ ବଡ଼ ଫାଇଦା ମିଳିଥିଲା। WTC ପଏଣ୍ଟ ଟେବୁଲରେ ଟିମ ଇଣ୍ଡିଆ ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରୁ ଚତୁର୍ଥ ସ୍ଥାନରେ ପହଞ୍ଚିଥିଲା। ଏହା ସହିତ ଫାଇନାଲରେ ପହଞ୍ଚିବା ପାଇଁ ଭାରତର ଆଶା ଆହୁରି ମଜବୁତ ହୋଇଥିଲା। ପୂର୍ବରୁ ବାଂଲାଦେଶ ଚତୁର୍ଥ ସ୍ଥାନରେ ରହିଥିଲା। ଗତ କିଛି ମାସ ଧରି ଦଳର ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା। କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ପରାଜୟ ଦଳକୁ ବଡ଼ ଝଟକା ଦେଇଛି। ସିଲହଟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ ବାଂଲାଦେଶର ପଏଣ୍ଟ ପ୍ରତିଶତ ୪୭.୬୨ ରହିଥିଲା। ସେହିପରି ୨୬.୯୨ ପ୍ରତିଶତ ପଏଣ୍ଟ ସହ ୱେଷ୍ଟଇଣ୍ଡିଜ ଅଷ୍ଟମ ସ୍ଥାନରେ ଥିଲା। ଯଦି ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ଜିତିଥାନ୍ତା, ତେବେ ଦଳକୁ ଫାଇଦା ମିଳିଥାନ୍ତା। କିନ୍ତୁ ମ୍ୟାଚ ଡ୍ର’ ହେବା ପରେ ବାଂଲାଦେଶର ପଏଣ୍ଟ ପ୍ରତିଶତ ଆହୁରି ହ୍ରାସ ପାଇଛି। ଏହାଦ୍ୱାରା WTC ଫାଇନାଲ୍ରେ ପହଞ୍ଚିବା ଆଶାକୁ ମଧ୍ୟ ଝଟକା ଲାଗିଛି।
ବାଂଲାଦେଶର ପଏଣ୍ଟ ପ୍ରତିଶତ ହ୍ରାସ ପାଇ ୪୫.୮୩ରେ ପହଞ୍ଚିଛି। ଅନ୍ୟପଟେ ୱେଷ୍ଟଇଣ୍ଡିଜର ପଏଣ୍ଟ ପ୍ରତିଶତ ବୃଦ୍ଧି ପାଇ ୨୭.୩୮ ହୋଇଛି। ଭାରତୀୟ ଦଳ ୫୧.୫୨ ପ୍ରତିଶତ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ଏବେ ବାଂଲାଦେଶ ଏବଂ ଟିମ ଇଣ୍ଡିଆ ମଧ୍ୟରେ ପଏଣ୍ଟ ପ୍ରତିଶତର ବ୍ୟବଧାନ ବଢ଼ିଯାଇଛି। ଏହାର ସିଧାସଳଖ ଫାଇଦା ଭାରତକୁ ମିଳିଛି। ସୂଚନାଯୋଗ୍ୟ, ୭୨.୨୨ ପ୍ରତିଶତ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି।
ଦ୍ୱିତୀୟ ଟେଷ୍ଟର ଶେଷ ଦିନରେ ବାଂଲାଦେଶକୁ ଜିତିବା ପାଇଁ ୩୬୯ ରନର ଆବଶ୍ୟକତା ଥିଲା। ଦଳ ୫୯ ଓଭରରେ ୪ଟି ଉଇକେଟ୍ ହରାଇ ୧୮୪ ରନ କରିଥିଲା। କିନ୍ତୁ ଖରାପ ଆଲୋକ ଯୋଗୁ ମ୍ୟାଚକୁ ବନ୍ଦ କରିବାକୁ ପଡ଼ିଥିଲା। ପରେ ମ୍ୟାଚକୁ ଡ୍ର’ ଘୋଷଣା କରାଯାଇଥିଲା।
ଏହି ମ୍ୟାଚର ପ୍ରଥମ ଇନିଂସର ୱେଷ୍ଟଇଣ୍ଡିଜ ୩୫୬ ରନ କରିଥିଲା। ଜବାବରେ ବାଂଲାଦେଶ ୩୮୬ ରନ କରି ୩୦ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ୍ରେ ୬ ଉଇକେଟ୍ ହରାଇ ୩୯୮ ରନ କରି ପାଳି ଘୋଷଣା କରିଥିଲା।