ଭୁଲ ଇଞ୍ଜେକ୍ସନ ଦେବାରୁ ଗାଈର ଜୀବନ ଗଲା: ନକଲି ଡାକ୍ତରଙ୍କୁ ପୋଲିସର ପଚରାଉଚରା

ଆନନ୍ଦପୁର,୨୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ କଲୋନୀ ସାହିର ବାଇନ ନାହାକଙ୍କ ଗର୍ଭଣୀ ଗାଈକୁ ୪ଟି ଇଞ୍ଜେକସନ୍‌ ଓ ଦୁଇଟି ପାଣି ଔଷଧ ଦିଆଯିବା ପରେ ଗାଈର ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗାଈକୁ ଇଞ୍ଜେକସନ୍‌ ଦେଇଥିବା ବ୍ୟକ୍ତି ଜଣକ ନକଲି ପ୍ରାଣୀଡାକ୍ତର ବୋଲି ଅଭିଯୋଗ କରି ଗାଈ ମାଲିକାଣୀ ଆନନ୍ଦପୁର ଥାନାରେ ଶନିବାର ଲିଖିତ ଅଭିଯୋଗ କରିଛନ୍ତି।

ଆନନ୍ଦପୁର ଥାନା ପକ୍ଷରୁ କେସ୍‌ ନଂ.୯୫/୨୨ରେ ଏକ ମାମଲା ରୁଜୁ କରାଯାଇ ଇଞ୍ଜେକସନ୍‌ ଦେଇଥିବା ବ୍ୟକ୍ତିଙ୍କୁ ଥାନାକୁ ଅଣାଯାଇ ପଚରାଉଚରା ଜାରି ରହିଥିବା ଥାନାଧିକାରୀ ମନୋରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ବାଇନଙ୍କ ଗାଈ ଅସୁସ୍ଥ ହେବାରୁ ସେହି ଗ୍ରାମର ଜଣେ ବ୍ୟକ୍ତି ନିଜକୁ ଡାକ୍ତର କହି ୪ଟି ଇଞ୍ଜେକସନ୍‌ ଓ ପାଣି ଔଷଧ ଦେଇ ୨ ହଜାର ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ଗାଈ ଦେହ ଅଧିକ ଅସୁସ୍ଥ ହେବାରୁ ଇଞ୍ଜେକସନ୍‌ ଦେଇଥିବା ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ସେ ଶୁଣି ନ ଥିଲେ। ୨୧ ତାରିଖ ସକାଳ ସମୟରେ ଗାଈର ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହିତ ୨୩ ତାରିଖ ଶନିବାର ଏନେଇ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।