Categories: ଖେଳ

‘କାହା କ୍ୟାରିୟରକୁ କ୍ଷତି ପହଞ୍ଚାଇବା ମୋ ଉଦ୍ଦେଶ୍ୟ ନୁହେଁ’

ମୁମ୍ବାଇ,୨୨।୨: ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ଉଇକେଟକିପର ରିଦ୍ଧିମାନ ଶାହାଙ୍କୁ ସାକ୍ଷାତ୍‌କାର ଦେବା ପାଇଁ ଧମକାଇ ଥିଲେ ଜଣେ ଜର୍ନାଲିଷ୍ଟ। ଖବରଦାତାଙ୍କ ଧମକପୂର୍ଣ୍ଣ ହ୍ବାଟ୍ସଆପ୍‌ ମେସେଜର ସ୍କ୍ରିନଶଟ୍‌କୁ ଟୁଇଟରରେ ଶେୟାର କରିଥିଲେ। ସେହି ଟୁଇଟ୍‌ ପରେ ଅନେକ ପୂର୍ବତନ କ୍ରିକେଟର ରିଦ୍ଧିମାନଙ୍କ ପ୍ରତି ସମର୍ଥନ ଜାହିର କରିବା ସହ ଉକ୍ତ ଜର୍ନାଲିଷ୍ଟଙ୍କ ନାମ ପ୍ରକାଶ କରିବାକୁ କହିଛନ୍ତି।

ଅନ୍ୟପକ୍ଷରେ ବୋର୍ଡ ଏହି ଘଟଣାର ତଦନ୍ତ କରିବ। ଆମେ ରିଦ୍ଧିମାନଙ୍କ ସହ କଥା ହେବୁ ବୋଲି ବିସିସିଆଇ ଟ୍ରେଜରର ଅରୁଣ ଧୁମାଲ କହିଥିଲେ। କିନ୍ତୁ ଏକ ସାକ୍ଷାତ୍‌କାରରେ ସେହି ଜର୍ନାଲିଷ୍ଟଙ୍କ ପରିଚୟ ପ୍ରକାଶ କରିବାକୁ ମନା କରି ଦେଇଛନ୍ତି ଉଇକେଟକିପର ରିଦ୍ଧିମାନ। ଏହାର କାରଣରେ ସେ କହିଛନ୍ତି, କାହା କ୍ୟାରିୟରକୁ କ୍ଷତି ପହଞ୍ଚାଇବା ମୋ ଉଦ୍ଦେଶ୍ୟ ନୁହେଁ।

“ମୋତେ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଯୋଗାଯୋଗ କରାଯାଇ ନାହିଁ। ଯଦି ସେମାନେ ମୋତେ ନାମ ପ୍ରକାଶ କରିବାକୁ କୁହନ୍ତି, ତେବେ ମୁଁ ତାହା କରିବି। କିନ୍ତୁ ତାହା ମୋର ଉଦ୍ଦେଶ୍ୟ ନୁହେଁ। ଏଣୁ ମୋ ଟୁଇଟ୍‌ରେ ଏପର୍ଯ୍ୟନ୍ତ ଉକ୍ତ ଖବରଦାତାଙ୍କ ନାମ ପ୍ରକାଶ କରିନାହିଁ। ହେଉଛି କ୍ରିକେଟରଙ୍କୁ କେଉଁ ଭଳି ଅସମ୍ମାନିତ କରାଯାଉଛି, ତାହା ଦେଖାଇବା ମୋ ଟୁଇଟ୍‌ ପଛର ଉଦ୍ଦେଶ୍ୟ ” ବୋଲି ଶାହା କହିଛନ୍ତି।

Share