Categories: ଖେଳ

ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ରହିତାଦେଶ

ଚଣ୍ଡିଗଡ଼, ୧୨ା୮ଶନିବାର ହେବାକୁଥିବା ବହୁପ୍ରତୀକ୍ଷିତ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ଉପରେ ରହିତାଦେଶ ଜାରି କହିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ। ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନରେ ହରିୟାଣା ଆମେଚର ରେସ୍‌ଲିଂ ଆସୋସିଏଶନ (ଏଚ୍‌ଏଡବ୍‌ଲ୍ୟୁଏ)କୁ ଭୋଟ ଦାନ ଅଧିକାର ମିଳିଥିବା ବେଳେ ସେମାନଙ୍କୁ କେଉଁ କାରଣରୁ ଏଥିରୁ ବଞ୍ଚିତ କରାଯାଇଛି ଦର୍ଶାଇ ହରିୟାଣା ରେସ୍‌ଲିଂ ଆସୋସିଏଶନ (ଏଚ୍‌ଡବ୍ଲ୍ୟୁଏ) ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ପାର୍ଲାମେଣ୍ଟ ସଦସ୍ୟ ଦୀପିନ୍ଦର ହୁଦା ଏଚ୍‌ଡବ୍ଲ୍ୟୁଏର ମୁଖ୍ୟ ଅଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ମକଦ୍ଦମା ଲଢୁଥିବା ଆଡ୍‌ଭୋକେଟ ରବିନ୍ଦର ମଲିକ କହିଛନ୍ତି, ଏଚ୍‌ଡବ୍ଲ୍ୟୁଏ ହେଉଛି ରାଜ୍ୟରେ ଏକ ପଞ୍ଜୀକୃତ ସୋସାଇଟି। ଡବ୍ଲ୍ୟୁଏଫ୍‌ଆଇ ଦ୍ୱାରା ମଧ୍ୟ ଏହା ସ୍ବୀକୃତି ଲାଭ କରିଛି। ଡବ୍ଲ୍ୟୁଏଫ୍‌ଆଇର ସମ୍ବିଧାନ ଅନୁସାରେ କୌଣସି ପଞ୍ଜୀକୃତ ଓ ସ୍ବୀକୃତିପ୍ରାପ୍ତ ପରିଷଦ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନରେ ଭୋଟ ଦେବା ଲାଗି ଏହାର ଦୁଇଜଣ ପ୍ରତିନିଧିଙ୍କୁ ପଠାଇ ପାରିବ। ଏଚ୍‌ଡବ୍ଲ୍ୟୁଏର ଆଡ୍‌ଭୋକେଟ କହିଛନ୍ତି, ରାଜ୍ୟର ଅନ୍ୟ ଏକ ପରିଷଦ ହରିୟାଣା ଆମେଚର ରେସ୍‌ଲିଂ ଆସୋସିଏଶନ ଦାବି କରିଛି ଯେ, ଏହା ହରିୟାଣା ଅଲିମ୍ପିକ ଆସୋସିଏଶନ ସମେତ ଡବ୍ଲ୍ୟୁଏଫ୍‌ଆଇଠାରୁ ସ୍ବୀକୃତି ହାସଲ କରିଛି। ଏହି ଆସୋସିଏଶନ ପୁଣି କହିଛି ଯେ ଏଚ୍‌ଡବ୍ଲ୍ୟୁଏ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇପାରିବ ନାହିଁ ା
କାରଣ ଏହା ଡବ୍ଲ୍ୟୁଏଫ୍‌ଆଇଠାରୁ ସ୍ବୀକୃତି ଲାଭ କରିନାହିଁ। ଅନ୍ୟପକ୍ଷରେ ରିଟର୍ନିଂ ଅଫିସର ହରିୟାଣା ଆମେଚର ରେସ୍‌ଲିଂ ଆସୋସିଏଶନ ସପକ୍ଷରେ ଯୁକ୍ତି କରିଛନ୍ତି। ଏହି ଆସୋସିଏଶନ ଉଭୟ ଡବ୍ଲ୍ୟୁଏଫ୍‌ଆଇ ଓ ହରିୟାଣା ଅଲିମ୍ପିକ ଆସୋସିଏଶନ ଦ୍ୱାରା ସ୍ବୀକୃତି ଲାଭ କରିବା ପାଇଁ ଆବଶ୍ୟକ ପଡ଼ୁଥିବା ସମସ୍ତ ସର୍ତ୍ତ ପୂରଣ କରୁଛି। ରିଟର୍ନିଂ ଅଫିସରଙ୍କ ଏହି ନିର୍ଦ୍ଦେଶକୁ ଆମେ କୋର୍ଟରେ ଚ୍ୟାଲେଞ୍ଜ କରିଛୁ ବୋଲି କୋର୍ଟରେ ଏଚ୍‌ଡବ୍ଲ୍ୟୁଏ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଡ୍‌ଭୋକେଟ ମଲିକ କହିଛନ୍ତି। ସେ କହିଛନ୍ତି, ହରିୟାଣା ଆମେଚର ରେସ୍‌ଲିଂ ଆସୋସିଏଶନ ହୁଏତ ଡବ୍ଲ୍ୟୁଏଫ୍‌ଆଇଠାରୁ ସ୍ବୀକୃତି ଲାଭ କରିଥାଇପାରେ, କିନ୍ତୁ ନିର୍ବାଚନ ପ୍ରକ୍ରିୟା ପାଇଁ ଅଯୋଗ୍ୟ। କାରଣ ଏହା ହରିୟାଣା ଅଲିମ୍ପିକ ଆସୋସିଏଶନ ଦ୍ୱାରା ସ୍ବୀକୃତି ପାଇ ନାହିଁ। ଏପରିସ୍ଥଳେ ହରିୟାଣା ଆମେଚର ରେସ୍‌ଲିଂ ଆସୋସିଏଶନକୁ ଯଦି ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବା ଲାଗି ଅନୁମତି ଦିଆଯାଏ ତେବେ ତାହା ବେଆଇନ ବୋଲି ବିବେଚନା କରାଯିବ। ହାଇକୋର୍ଟ ବିଚାରପତି ବିନୋଦ ଏସ୍‌. ଭରଦ୍ୱାଜ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ଉପରେ ରହିତାଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୮ରେ ହେବ। ତେଣୁ ଏହା ପୂର୍ବର ନିର୍ବାଚନ ସମ୍ଭବ ନୁହେଁ ବୋଲି ମନେହେଉଛି।

Share