ଧାରଣାରେ ବସିଥିବା ରେସଲରଙ୍କୁ ଭେଟିଲେ ପ୍ରିୟଙ୍କା, ମୋଦିଙ୍କୁ କଲେ ଟାର୍ଗେଟ

ନୂଆଦିଲ୍ଲୀ,୨୯।୪: କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିରୋଧରେ ରେସଲରଙ୍କ ଧାରଣା ଲଗାତାର ବଡ ରୂପ ନେବାରେ ଲାଗିଛି। ଶନିବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବି ଏହି ଧାରଣାରେ ସାମିଲ ହୋଇଛନ୍ତି। ସେ ରେସଲରଙ୍କ ସହ ପ୍ରାୟ ୧ ଘଣ୍ଟା ସମୟ ବିତାଇଛନ୍ତି। ଏହି ସମୟରେ ସେ ରେସଲରଙ୍କ ଦୁଃଖ ଶୁଣିଛନ୍ତି, ସେମାନଙ୍କୁ ସାନ୍ତ୍ୱନା ଦେଇଛନ୍ତି ଓ ସରକାରଙ୍କୁ ପ୍ରଶ୍ନ ବି କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି କି ସରକାର କାହିଁକି ବ୍ରିଜଭୂଷଣଙ୍କୁ ବଞ୍ଚାଉଛନ୍ତି। ଏହାସହ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଟାର୍ଗେଟ କରିଛନ୍ତି।

ରେସଲରଙ୍କ ଧାରଣାର ସପ୍ତମ ଦିନରେ ଶନିବାର ସକାଳ ପ୍ରାୟ ୭ଟା ୪୫ରେ ପ୍ରିୟଙ୍କା ରେସଲରଙ୍କ ସହ ସାକ୍ଷାତ କରିଥିଲେ। ସେଠାରେ ସେ ପ୍ରାୟ ୫୦ ମିନିଟ ପର୍ଯ୍ୟନ୍ତ ମହିଳା ରେସଲରଙ୍କ ସହ କଥା ହୋଇଥିଲେ। ସେ ଭିନେଶ ଫୋଗାଟ, ସାକ୍ଷି ମଲିକ ଓ ବଜରଙ୍ଗ ପୁନିୟାଙ୍କ ସହ କଥା ହୋଇଥିଲେ। କଥାବାର୍ତ୍ତା ସମୟରେ ଭିନେଶ ଭାବୁକ ହୋଇଯାଇଥିବା ବେଳେ ପ୍ରିୟଙ୍କା ତାଙ୍କୁ ସାନ୍ତ୍ୱନା ଦେଇଥିଲେ।

Share