‘ଆମ ଖେଳାଳି ଆମ ଦେଶର ଗୌରବ’, ରେସଲରଙ୍କ ସପକ୍ଷରେ ବାହାରିଲେ ମମତା

କୋଲକାତା,୨୮।୪: ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ରେସଲରଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ କରି ରେସଲରଙ୍କୁ ସପୋର୍ଟ କରିଛନ୍ତି। ସେ ଶୁକ୍ରବାର କହିଛନ୍ତି, ଆମ ସମସ୍ତଙ୍କୁ ଧାରଣା ଦେଇଥିବା ରେସଲରଙ୍କ ସହ ଠିଆ ହେବା ଦରକାର, ସେମାନେ ଏକ ସ୍ବରରେ କହୁଛନ୍ତି, ଆମ ଖେଳାଳି ଆମ ଦେଶର ଗୌରବ, ସେମାନେ ଚାମ୍ପିୟାନ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦୋଷୀଙ୍କୁ ଆଇନର କାଠଗଡା ମଧ୍ୟକୁ ଆଣିବା ଜରୁରୀ। ଏମାନଙ୍କର ଯେ କୌଣସି ରାଜନୈତିକ ସମ୍ପର୍କ ଥାଉନା କାହିଁକି, ଆଇନ କଡା ହେବା ଦରକାର, ସତ୍ୟର ବିଜୟ ହେବା ଦରକାର। ସୂଚନାଯୋଗ୍ୟ, କେତେଜଣ ରାଷ୍ଟ୍ରୀୟ ପୁରସ୍କାର ବିଜେତା ରେସଲର ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରୁଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଛନ୍ତି।
ରେସଲରମାନେ ଯୌନ ଉତ୍ପିଡନ ଅଭିଯୋଗର ଯାଞ୍ଚ କରୁଥିବା ସମିତିର ରିପୋର୍ଟ ସାର୍ବଜନିନ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ରେସଲରମାନଙ୍କୁ ଅନେକେ ନେତା, ପୂର୍ବତନ ଖେଳାଳିମାନେ ବି ସମର୍ଥନ ଜଣାଇଛନ୍ତି। ଶୁକ୍ରବାର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରା ଓ ଅଭିନବ ବିନ୍ଦ୍ରା ମଧ୍ୟ ରେସଲରଙ୍କୁ ସମର୍ଥନ ଜଣାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

Share