Categories: ଖେଳ

ରାମଲୀଳା ମଇଦାନରେ ଧାରଣା ଦେବେ ରେସ୍‌ଲର

ମୁମ୍ବାଇ,୧୭ା୫(ପି.ଟି.): ଭାରତୀୟ ରେସ୍‌ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନ ୨୪ ଦିନରେ ପହଞ୍ଚତ୍ଛି। ଏହି ଆନ୍ଦୋଳନ ବର୍ତ୍ତମାନ ରାମଲୀଳା ମଇଦାନକୁ ଯିବାର ସୂଚନା ଦେଇଛନ୍ତି ରେସ୍‌ଲର। ଭାରତର ଅଲିମ୍ପିକ୍ସ ପଦକ ବିଜୟୀ ରେସ୍‌ଲର ସାକ୍ଷୀ ମଲିକ୍‌ ଓ ବଜରଙ୍ଗ ପୁନିଆଙ୍କ ସମେତ ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ ଭିନେଶ ଫୋଗତ ଯନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି। ମଙ୍ଗଳବାର ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଖେଳାଳିମାନଙ୍କ ସହିତ ଆଲୋଚନା କରିବା ସହିତ ଏହାକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିବାକୁ ପ୍ରସ୍ତାବ ଦେଇଥିଲେ। ଯନ୍ତରମନ୍ତର ଅପେକ୍ଷା ରାମଲୀଳା ମଇଦାନ ଏକ ବଡ ଜାଗା। ଫଳରେ ଅଧିକ ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇପାରିବେ ବୋଲି ଆଜାଦ ପ୍ରସ୍ତାବ ଦେଇଥିଲେ। ରେସ୍‌ଲରମାନଙ୍କ ପକ୍ଷରୁ ବ୍ରିଜ୍‌ଭୂଷଣଙ୍କୁ ୨୧ ତାରିଖ ମଧ୍ୟରେ ଗିରଫ ନ କଲେ ଏହି ଆନ୍ଦୋଳନକୁ ବିଶ୍ୱବ୍ୟାପୀ କରାଯିବ ବୋଲି ଧମକ ଦେଇଛନ୍ତି। ଏହି ଧାରଣାରେ ସମଗ୍ର ବିଶ୍ୱକୁ ସାମିଲ କରିବା ପାଇଁ ଭିନ୍ନ ଭିନ୍ନ ଦେଶର ଅଲିମ୍ପିଆନ୍‌ ଓ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଚିଠି ଲେଖାଯିବ ବୋଲି ରେସ୍‌ଲରମାନେ କହିଛନ୍ତି। ମେ’ ୨୧ ସୁଦ୍ଧା ଯଦି ସରକାର ଦାବିକୁ ନ ମାନିବେ ତେବେ ଏହି ଧାରଣାକୁ ରାମଲୀଳା ମଇଦାନକୁ ନେବାର ପ୍ରସ୍ତାବ ଆଜାଦ ଦେଇଥିବା ବେଳେ ଏହା ଉପରେ ବିଚାର କରି ନିଷ୍ପତ୍ତି ନେବେ ବୋଲି ରେସ୍‌ଲରମାନେ କହିଛନ୍ତି। ସୋମବାର ରେସ୍‌ଲରମାନେ ଯନ୍ତରମନ୍ତରରୁ ବାହାରି କନ୍ନଟ ପ୍ଲେସ୍‌ ଯାଇଥିବା ବେଳେ ମଙ୍ଗଳବାର ମଧ୍ୟ ଯନ୍ତରମନ୍ତରରୁ କନ୍ନଟ ପ୍ଲେସ୍‌ର ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲେ। ଉଲ୍ଲେଖଯୋଗ୍ୟ, ମହିଳା ରେସ୍‌ଲରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବ୍ରିଜ୍‌ଭୂଷଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ୭ ଜଣ ମହିଳା ଆଥ୍‌ଲେଟ ଅଭିଯୋଗ ଆଣିଥିବା ବେଳେ ଏହା ମଧ୍ୟରେ ଜଣେ ନାବାଳିକା ମଧ୍ୟ ରହିଛନ୍ତି।

Share