ଆଶୀର୍ବାଦ ପାଇଁ ସିଂହଦ୍ୱାରରେ ଆରାଧନା

ପୁରୀ ଅଫିସ, ୧୩।୧୦: ସେ ଭାବର ଠାକୁର, ଭକ୍ତର ଭଗବାନ। ଭକ୍ତି ଭାବରେ ସେ ବନ୍ଧା। ତାଙ୍କୁ ଯିଏ ଯେମିତି ଡାକନ୍ତି ତା’ ଡାକ ସେ ସେମିତି ଶୁଣନ୍ତି। ଏମିତି ଆସ୍ଥା ଓ ବିଶ୍ୱାସ ରଖି କାହିଁ କେତେ ଦୂରରୁ ଭକ୍ତ ଛୁଟିଆସନ୍ତି ଶ୍ରୀକ୍ଷେତ୍ରକୁ। ସୋମବାର ସିଂହଦ୍ୱାରରେ ଜଣେ ନିଆରା ଭକ୍ତଙ୍କୁ ଦେଖିବାକୁ ମିଳିଥିଲା, ଯିଏ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ଆଶାରେ ବିହାରରୁ ଧାଇଁ ଆସିଛନ୍ତି। କରୋନା ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ଥିବାରୁ ସେ ସିଂହଦ୍ୱାର ସମ୍ମୁଖରେ କାଳିଆ ଠାକୁରଙ୍କ ଫଟୋ ରଖି ତାଙ୍କୁ ସ୍ମରଣ କରୁଛନ୍ତି। ତାଙ୍କୁ ଯିଏ ଦେଖୁଛନ୍ତି ପାଟିରୁ ସ୍ବତଃ ବାହାରିପଡୁଛି ଏ ହେଉଛି ଭାବ ବିନୋଦିଆର ନାଟ।
ବିହାର ପାଟନାର ଜୟା କୁମାରୀ। ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ମହାପ୍ରଭୁଙ୍କ ପ୍ରତି ତାଙ୍କର ଅଗାଧ ବିଶ୍ୱାସ ରହିଛି। ତେଣୁ ମେଡିକାଲ ଏଣ୍ଟ୍ରାନ୍ସରେ ଭଲ ଫଳାଫଳ ଆଶା ରଖି ସେ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି। କିଛିଦିନ ଏଠାରେ ରହି ମହାପ୍ରଭୁଙ୍କୁ ସ୍ମରଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଜୟା କହିଛନ୍ତି, କେବଳ ମହାପ୍ରଭୁଙ୍କୁ ଦର୍ଶନ କଲେ କୃପା ଓ ଶାନ୍ତି ମିଳିବ ତାହାର କିଛି ମାନେ ନାହିଁ। ଭଗବାନ ସବୁଠି ଅଛନ୍ତି। ହୃଦୟର ସହ ଡାକିଲେ ନିଶ୍ଚିତ ତାଙ୍କ ସାନିଧ୍ୟ ପାଇ ପାରିବା। ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରି ସେ ଖୁବ୍‌ ଆନନ୍ଦ ଅନୁଭବ କରୁଥିବା ଜୟା ପ୍ରକାଶ କରିଛନ୍ତି।