ନାମ ପାଇଁ ଡହଳବିକଳ

ବିଚିତ୍ର ବିଶ୍ୱାଳ

ଆମେ ଦେଖୁଛେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ଖେଳାଳିଙ୍କ ଫଟୋ ଅପେକ୍ଷା ନେତାମାନଙ୍କର ଫଟୋ ବଡ଼ ହୋଇ ଦେଖାଯାଉଛି। ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରତିଯୋଗିତାରେ ସମସ୍ତଙ୍କଠାରୁ ଆଗରେ ରହିଛନ୍ତି। ଅବଶ୍ୟ ପ୍ରଧାନମନ୍ତ୍ରୀଙ୍କ ଫଟୋ ଆଗ୍ରହକୁ ଆମେ ପୂର୍ବରୁ ଦେଖିଛେ। କିନ୍ତୁ ଏବେ ନିଜର ପ୍ରଚାର କରିବାରେ ପ୍ରଧାନମନ୍ତ୍ରୀ ଅତୀତର ସବୁ ରେକର୍ଡକୁ କାଟି ଦେଇଛନ୍ତି। ନାମ ପାଇବା ପାଇଁ ଏତେ ଡହଳ ବିକଳ ହେବା କ’ଣ ଶୋଭାପାଏ! ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ସ୍ବାଭାବିକ ଭାବେ ସାରା ଦେଶର ପ୍ରଶଂସା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଆସିଲା। କାରଣ ଭାରତୀୟ ହକି ଦଳ ୨୦୧୮ରେ ପ୍ରାୟୋଜକ ଅଭାବରୁ ସଙ୍କଟରେ ପଡ଼ିଥିବା ବେଳେ ଓଡ଼ିଶା ହଁି ଜାତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ସାଜିଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଯାହା ବି ପ୍ରଶଂସା ମିଳିଲା ତାହା ତାଙ୍କ ଭାଷଣ ପାଇଁ ନୁହେଁ, ତାଙ୍କ କାମ ପାଇଁ ମିଳିଲା। ତାଙ୍କ କାମ ହଁି କଥା କହିଲା। କିନ୍ତୁ ଏହି ପ୍ରଚାରକୁ ଯେନତେନ ପ୍ରକାରେ ନିଜ ନାମରେ କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ନୂଆ ଚାଲ୍‌ ଖେଳିଲେ। ରାତାରାତି ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନ କରି ବିଶିଷ୍ଟ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ନାମରେ କରିଦେଲେ। ତାଙ୍କର ଏକ ମାତ୍ର ଉଦ୍ଦେଶ୍ୟ ଥିଲା ହକି ଦଳର ଏହି ସଫଳତାରେ ତାଙ୍କ ନାମ ବି ପ୍ରଚାରକୁ ଆସୁ। ଅବଶ୍ୟ କ୍ରୀଡ଼ା ପାଇଁ ଗୋଟିଏ ପୁରସ୍କାରକୁ କୌଣସି ବିଶିଷ୍ଟ ଖେଳାଳିଙ୍କ ନାମରେ କରାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ପ୍ରଧାନମନ୍ତ୍ରୀ ଯେ, ଖେଳର ବିକାଶ ପାଇଁ ଏପରି ପଦକ୍ଷେପ ନେଲେ, ତାହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। କାରଣ ସେମିତି ହୋଇଥିଲେ, ପ୍ରଧାନମନ୍ତ୍ରୀ ନିକଟ ଅତୀତରେ ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌କୁ ନିଜ ନାମରେ କରି ନ ଥା’ନ୍ତେ। ଦିଲ୍ଲୀର ଫିରୋଜଶାହ କୋଟ୍‌ଲା ଷ୍ଟାଡିୟମ୍‌କୁ ଭାଜପା ନେତା ଅରୁଣ ଜେଟ୍‌ଲୀଙ୍କ ନାମରେ କରି ନ ଥା’ନ୍ତେ। ଏବେ ପୁରସ୍କାରକୁ ଧ୍ୟାନଚାନ୍ଦଙ୍କ ନାମରେ କରିବାର ତାଙ୍କର ଅସଲ ଉଦ୍ଦେଶ୍ୟ ହେଉଛି, ରାଜୀବ ଗାନ୍ଧୀଙ୍କୁ ଛୋଟ କରି ନିଜର ହକିପ୍ରେମର ପରିଚୟ ଦେବା। କୁହାଯାଉଛି ଯେ, କଂଗ୍ରେସ୍‌ ସବୁ ଯୋଜନା ନିଜ ନେତାଙ୍କ ନାମରେ କରିଛି, କିନ୍ତୁ ଦୀନ୍‌ଦୟାଲ୍‌ ଉପାଧ୍ୟାୟ ନ୍ୟାଶ୍‌ନାଲ୍‌ ୱେଲ୍‌ଫେୟାର୍‌ ଫଣ୍ଡ କ’ଣ? ୧୯୮୨ରୁ ଥିବା ଏହି ଯୋଜନା ୨୦୧୭ରେ ଦୀନ୍‌ଦୟାଲ୍‌ ଉପାଧ୍ୟାୟଙ୍କ ନାମରେ କରାଗଲା କାହଁିକି? କୌଣସି ଖେଳାଳିଙ୍କ ନାମରେ କରାଗଲା ନାହଁି କାହିଁିକି? ପ୍ରସିଦ୍ଧ କ୍ରିକେଟର୍‌ ମହାରାଜା ରଣଜିତ୍‌ ସିଂହ, ସଇଦ୍‌ ମୁସ୍ତାକ ଅଲୀ, ସଲିମ୍‌ ଦୁରାନୀ, ଭିନୁ ମଙ୍କଡ୍‌, ନରି କଣ୍ଟ୍ରାକ୍ଟର, ଇରଫାନ୍‌ ପଠାନ୍‌, ପାର୍ଥିବ ପଟେଲ୍‌ ଆଦି ଗୁଜରାଟ୍‌ ଖେଳାଳିଙ୍କ ନାମରେ ଅହମଦାବାଦ ଷ୍ଟାଡିୟମ କରାଗଲା ନାହଁି କାହିଁକି? ଅସଲ କଥା ହେଉଛି, ରାଜନୈତିକ ନେତାମାନେ ନିଜ ଦଳୀୟ ନେତାଙ୍କ ନାମରେ ସବୁକିଛି କରିବାକୁ ଚାହଁୁଛନ୍ତି। ଭାଜପା ବି କଂଗ୍ରେସ୍‌ଠାରୁ ଅଲଗା ନୁହେଁ। ଏତଦ୍‌ବ୍ୟତୀତ ନିକଟ ଅତୀତରେ ଦିଲ୍ଲୀର ଫରେନ୍‌ ସର୍ଭିସ୍‌ ଟ୍ରେନିଙ୍ଗ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ନାମ ସୁଷମା ସ୍ବରାଜଙ୍କ ନାମରେ ରଖାଯାଇଛି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଫେନ୍‌ସ ଷ୍ଟଡିଜ୍‌ ଆଣ୍ଡ ଆନାଲିସିସ୍‌ର ନାମ ପୂର୍ବତନ ଭାଜପା ନେତା ମନୋହର ପାରିକର୍‌ଙ୍କ ନାମରେ ରଖାଯାଇଛି। ଏଥିରୁ ଗୋଟିଏ କଥା ବୁଝାପଡ଼ୁଛି ସରକାର ଭିନ୍ନ ଭିନ୍ନ ଅନୁଷ୍ଠାନ ଓ ପୁରସ୍କାରକୁ କଂଗ୍ରେସ୍‌ ନେତାଙ୍କ ନାମ ସ୍ଥାନରେ ଭାଜପା ନେତାମାନଙ୍କର ନାମ ରଖୁଛନ୍ତି। ଏଥିରେ କେନ୍ଦ୍ର ସରକାରଙ୍କର ସାଂସ୍କୃତିକ ସଂକୀର୍ଣ୍ଣତା ସହିତ ରାଜନୈତିକ ପ୍ରତିଶୋଧ ବି ଅଧିକ ଦେଖାଯାଉଛି।
ପୂର୍ବରୁ ଧ୍ୟାନଚାନ୍ଦଙ୍କ ନାମରେ କ୍ରୀଡ଼ା କ୍ଷେତ୍ରରେ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ଅଛି। ସରକାରଙ୍କ ଅସଲ ଲକ୍ଷ୍ୟ ଧ୍ୟାନଚାନ୍ଦଙ୍କୁ ସମ୍ମାନ ନୁହେଁ, ଅସଲ ଲକ୍ଷ୍ୟ ହେଉଛି କଂଗ୍ରେସ ନେତାଙ୍କୁ ଅସମ୍ମାନ କରିବା ଓ ବୁଲେଇ ବଙ୍କେଇ କେବଳ ନିଜ ନାମ ପ୍ରଚାର କରିବା। ଧ୍ୟାନଚାନ୍ଦଙ୍କ ପାଇଁ ଅସଲ ସମ୍ମାନ ହେଉଛି ଭାରତରେ ହକିର ବିକାଶ। ବିଶ୍ୱ ସ୍ତରୀୟ ସୁବିଧା ସୁଯୋଗ ତିଆରି କରିବା, ଷ୍ଟାଡିୟମ୍‌ ତିଆରି କରିବା, ଅଭ୍ୟାସ ପଡ଼ିଆ, ପ୍ରାୟୋଜକ ଆଦି ବ୍ୟବସ୍ଥା କରିବା। କିନ୍ତୁ ସରକାର ଏସବୁ ନ କରି କେବଳ ନାମର ଖେଳ ଖେଳୁଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ, କେନ୍ଦ୍ର ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ନ ହୋଇ ଓଡ଼ିଶା ପରି ଏକ ରାଜ୍ୟକୁ ପ୍ରାୟୋଜକ ହେବାକୁ ପଡ଼ିଲା କାହଁିକି? ଓଡ଼ିଶା ହକିର ପ୍ରାୟୋଜକ ହେବା ପରେ ଯେତେବେଳେ ଦଳୀୟ ଜର୍ସି ଉନ୍ମୋଚନ କରାଗଲା, ସେତେବେଳେ ଜର୍ସିରେ ବି କେବଳ କୋଣାର୍କ ଚକ ଓ ଓଡ଼ିଶାର ବିରଳ କଇଁଛର ଏକ ପ୍ରଜାତିର ଫଟୋ ଥିଲା। କେନ୍ଦ୍ର ସରକାର ହକି ଦଳର ପ୍ରାୟୋଜକ ହୋଇଥିଲେ ଖେଳାଳିମାନଙ୍କୁ ତାଙ୍କ ଜର୍ସିରେ ମୋଦିଙ୍କ ଫଟୋକୁ ବୋହିବାକୁ ପଡ଼ିଥାନ୍ତା। ଯେମିତି ଟିକାକରଣର ଫଟୋରେ ଆମେ ମୋଦିଙ୍କ ଫଟୋ ଦେଖୁଛେ।
ଅଲିମ୍ପିକ୍ସକୁ ଯିବା ପୂର୍ବରୁ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ‘ଚିଅର୍‌ ଫର୍‌ ଇଣ୍ଡିଆ’ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନର ୱେବ୍‌ସାଇଟ୍‌ରେ ବି ମୋଦିଙ୍କର ନାମ ଥିଲା। ଚିଅର୍‌ ଫର୍‌ ଇଣ୍ଡିଆ ଡଟ୍‌ ନରେନ୍ଦ୍ର ମୋଦି ଡଟ୍‌ ଇନ୍‌। ଏ ୱେବ୍‌ସାଇଟ୍‌ ସାରା ଯେତିକି ଖେଳାଳିଙ୍କ ଫଟୋ ନ ଥିଲା ତା’ ଠାରୁ ଅଧିକ ମୋଦିଙ୍କର ଫଟୋ ଥିଲା। ଗୋଟିଏ ପଟେ ସରକାର କ୍ରୀଡ଼ା ବଜେଟ୍‌କୁ କମେଇ ଚାଲିଛନ୍ତି, କିନ୍ତୁ ଅନ୍ୟ ପଟେ ଖେଳାଳିଙ୍କ ସଫଳତାରୁ ନିଜ ନାମର ପ୍ରଚାର କରିବା ପାଇଁ ଟାକି ବସିଛନ୍ତି। ୨୦୨୦-୨୧ରେ କ୍ରୀଡ଼ା ବଜେଟ୍‌ ୨୮୨୬.୯୨ କୋଟି ଥିଲା, ଯାହାକୁ ସଂଶୋଧନ କରି ୧୮୦୦.୧୫ କୋଟି କରିଦିଆଯାଇଛି। ୨୦୧୪ରୁ ଏପର୍ଯ୍ୟନ୍ତ ଆମ ଦେଶରେ ୬ ଜଣ କ୍ରୀଡ଼ାମନ୍ତ୍ରୀ ବଦଳି ସାରିଲେଣି। କିନ୍ତୁ କୌଣସି ଖେଳ ବିଜ୍ଞାପନ ହେଉ ବା ଖେଳ କାର୍ଯ୍ୟକ୍ରମ ହେଉ ଆମେ କ୍ରୀଡ଼ା ମନ୍ତ୍ରୀମାନଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀଙ୍କ ଫଟୋ ଅଧିକ ଦେଖୁଛୁ।
ଓଡ଼ିଶା ସରକାର ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହେବା ପରେ କେବଳ ବ୍ରାଣ୍ଡିଙ୍ଗ୍‌ ବା ନାମ ପଛରେ ପଡ଼ିଥିଲେ, ଆଜି ହୁଏତ ଏହି ସଫଳତା ମିଳି ନ ଥାନ୍ତା। ସୂଚନା ଯୋଗ୍ୟ ଯେ, ପୂର୍ବ ପ୍ରାୟୋଜକଙ୍କଠାରୁ ପ୍ରାୟ ତିନି ଗୁଣ ଅଧିକ ଟଙ୍କା ଦେଇ ଓଡ଼ିଶା ସରକାର ହକି ଦଳର ପ୍ରାୟୋଜକ ହୋଇଛନ୍ତି। ଏଥିପାଇଁ କେବଳ ଓଡ଼ିଶା ସରକାର ଧନ୍ୟବାଦର ପାତ୍ର ନୁହନ୍ତି, ଓଡ଼ିଶାର ସମସ୍ତ ନାଗରିକ ଏଥିପାଇଁ ଧନ୍ୟବାଦ ପାଇବାକୁ ହକ୍‌ଦାର। କାରଣ ଏହା ହେଉଛି ତାଙ୍କ ଟିକସ ଟଙ୍କା। ଓଡ଼ିଶା ସରକାର ଷ୍ଟାଡିୟମ୍‌ ଓ ତାଲିମ୍‌ରେ ଟଙ୍କା ଖର୍ଚ୍ଚ କଲେ। ୨୦୧୮ର ବିଶ୍ୱକପ୍‌ ଆୟୋଜନ କଲେ। ଏହି ଆୟୋଜନର ସଫଳତା ପାଇଁ ୨୦୨୩ ବିଶ୍ୱକପ୍‌ ବି ଓଡ଼ିଶା ଆୟୋଜନ କରିବାକୁ ଯାଉଛି। ୧୧୨ କୋଟି ଟଙ୍କା ଖର୍ଚ୍ଚ କରି ରାଉରକେଲାରେ ସବୁଠାରୁ ବଡ଼ ହକି ଷ୍ଟାଡିୟମ୍‌ ତିଆରି ଚାଲୁଛି। କେବଳ ସୁନ୍ଦରଗଡ଼ରେ ୧୭ଟି ହକି ଟର୍ଫ ତିଆରି ହେଉଛି। କେନ୍ଦ୍ର ସରକାର ଯଦି କେବଳ ନାମ ବା ପ୍ରଚାର ପଛରେ ନ ପଡ଼ି ଓଡ଼ିଶା ସରକାରଙ୍କ ପରି ହକିର ବିକାଶ ପାଇଁ କାମରେ ମନ ଦେବେ, ତେବେ ଭାରତୀୟ ହକି ଦଳ ଆହୁରି ଅନେକ ସଫଳତାକୁ ଅଚିରେ ଛୁଇଁଯିବ। କାରଣ ହକି ଆମ ଐତିହ୍ୟ। କିନ୍ତୁ ଅତ୍ୟନ୍ତ କଷ୍ଟ ସ୍ବୀକାର କରି ପ୍ରଚୁର ନିଷ୍ଠାର ସହିତ ଯେଉଁ ଖେଳାଳିମାନେ ନିଜ ଅଧ୍ୟବସାୟ ବଳରେ ଆଖିଦୃଷ୍ଟିଆ ସରକାରୀ ସାହାଯ୍ୟ ସହଯୋଗ ନ ଥିବା ସତ୍ତ୍ୱେ ବି ଅଲିମ୍ପିକ୍ସର ପୋଡ଼ଇମ୍‌ ଉପରେ ଠିଆ ହୋଇପାରିଛନ୍ତି, ନିଜ ନାମ ପାଇଁ ତାଙ୍କୁ ଛୋଟ ନ କରନ୍ତୁ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri