କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ

ଢେଙ୍କାନାଳ,୧୨।୮: ଢେଙ୍କାନାଳସ୍ଥିତ କପିଳାସ ପ୍ରାଣୀ ଉଦ୍ୟାନରେ ଶନିବାର ବିଶ୍ୱ ହାତୀ ଦିବସ ପାଳିତ ହୋଇଛି। ଏହି ଅବସରରେ ପ୍ରାଣୀ ଉଦ୍ୟାନରେ ଥିବା ୬ ହାତୀଙ୍କୁ ଚନ୍ଦନ, ସିନ୍ଦୂର ଲଗାଇ ଚାନ୍ଦୁଆ ପକାଇ ପୂଜାର୍ଚ୍ଚନା କରି ଉଦ୍ୟାନ ପରିସରରେ ବୁଲାଯାଇଥିଲା । ଏପରିକି ହାତୀଙ୍କୁ କଦଳୀ, ସେଓ, ନଡ଼ିଆ ଆଦି ଫଳ ଖାଇବାକୁ ଦିଆଯାଇଥିଲା। ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣୀୟ ହୋଇଥିଲା । ବିଭିନ୍ନ ସ୍କୁଲର ଆସିଥିବା ଛାତ୍ରୀଛାତ୍ରମାନେ ହାତୀଙ୍କୁ ଫଳ ଖାଇବାକୁ ଦେଇଥିଲେ। ହାତୀମାନେ ଛାତ୍ରୀଛାତ୍ର ଓ ପର୍ଯ୍ୟଟକମାନଙ୍କୁ ଶୁଣ୍ଢ ଟେକି ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳିଥିଲା।