ପାକିସ୍ତାନ ଉପରେ ରାଗି ନିଆଁବାଣ ଚାଇନା, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ…

ବେଜିଂ,୩୦।୧୦: କେବଳ କଥାରେ ପାକିସ୍ତାନ-ଚାଇନା ବନ୍ଧୁ, ହେଲେ ଉଭୟଙ୍କର ବନ୍ଧୁତା କେବଳ ପରସ୍ପରଠାରୁ ଲାଭ ପାଇବା। ଭାରତ ବିରୋଧୀ ଏଜେଣ୍ଡା ହେଉଛି ଏହି ଦୁଇ ଦେଶ ମଧ୍ୟରେ ବନ୍ଧୁତାର ବଡ଼ କାରଣ। ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ବେଳେ ଚାଇନା ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ହେଲେ ଏବେ ପାକିସ୍ତାନର ଆତଙ୍କବାଦ ଚାଇନାକୁ କ୍ଷତି ପହଞ୍ଚାଉଥିବାରୁ ଡ୍ରାଗନ୍‌ ରାଗରେ ନିଆଁବାଣ ହୋଇଛି। ପାକିସ୍ତାନରେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଘଟଣାକୁ ଚାଇନା କଡ଼ା ସମାଲୋଚନା କରିଛି।

ଗତ ୬ ମାସ ମଧ୍ୟରେ ପାକିସ୍ତାନରେ ଚାଇନା ଅଧିକାରୀଙ୍କୁ ଟାର୍ଗେଟ କରି ୨ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ନେଇ ଚାଇନାର ରାଷ୍ଟ୍ରଦୂତ ଜେଡୋଙ୍ଗ ପାକିସ୍ତାନ ସରକାରଙ୍କ ନିକଟରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଚାଇନା ବିରୋଧୀ ଆତଙ୍କବାଦୀ ସଂଗଠନ ମାମଲାରେ ଶାହାବାଜ ସରକାରଙ୍କୁ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ କହିଛନ୍ତି।

ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଖୁବଶୀଘ୍ର ପାକିସ୍ତାନ ଗସ୍ତ କରିବାକୁ ଯାଉଛନ୍ତି। ଏଣୁ ସୁରକ୍ଷା ପ୍ରସଙ୍ଗରେ ଚାଇନାର ଚିନ୍ତା ବଢ଼ିଛି। ଏହା ପୂର୍ବରୁ ମାର୍ଚ୍ଚରେ ଏବଂ ଏବେ ଅକ୍ଟୋବର ପ୍ରଥମ ସପ୍ତାହରେ ଚାଇନା ଅଧିକାରୀଙ୍କୁ ଟାର୍ଗେଟ କରି ୨ଟି ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ଏହାକୁ ନେଇ ଚାଇନା ନାଗରିକ, ଅନୁଷ୍ଠାନ ଏବଂ ପ୍ରକଳ୍ପଗୁଡ଼ିକର ସୁରକ୍ଷା ଲାଗି ମଜଭୂତ ଉପାୟ ପାକିସ୍ତାନ କରିବ ବୋଲି ଆଶା ଥିବା ରାଷ୍ଟ୍ରଦୂତ ଜିଆଙ୍ଗ କହିଛନ୍ତି।

ଜିଆଙ୍ଗ କହିଛନ୍ତି, ଚାଇନା ରାଷ୍ଟ୍ରପତି ଦେଶର ନାଗରିକଙ୍କ ସୁରକ୍ଷା ଏବଂ ଜୀବନକୁ ପ୍ରାଧାନ୍ୟ ଦେଇଥାନ୍ତି। ସେ ପାକିସ୍ତାନରେ ଥିବା ନାଗରିକଙ୍କୁ ନେଇ ଚିନ୍ତିତ।