ଭଞ୍ଜନଗର, ୨୫ା୧୦ (ବାବୁଲା ପ୍ରଧାନ): ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍ଡିଏମ୍ଏ) ପକ୍ଷରୁ ଭଞ୍ଜନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଲିଙ୍ଗଗତ ସମାନତା ଓ ସାମାଜିକ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କର୍ମଶାଳାରେ ଡେପୁଟି କଲେକ୍ଟର ଦେବେନ୍ଦ୍ର ନାୟକ ଓ ଭଞ୍ଜନଗର ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ଏବିଡିଓ) ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବିପର୍ଯ୍ୟୟ ପରିଚାଳନାରେ ସମାଜର ସମସ୍ତ ବର୍ଗର ଲୋକଙ୍କୁ ସାମିଲ କରିବା ସହ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।
ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନିଆଯାଉଛି। ତେବେ ଅନେକ ସମୟରେ ମହିଳାମାନେ ବିଭିନ୍ନ କାରଣରୁ ସୁରକ୍ଷିତ ସ୍ଥାନକୁ ଯିବାରେ ଅନିଚ୍ଛା ପ୍ରକାଶ କରୁଥିବାରୁ ବିପଦର ସମ୍ମୁଖୀନ ହେଉଛନ୍ତି। ତେଣୁ ଭବିଷ୍ୟତରେ ଯେକୌଣସି ବିପର୍ଯ୍ୟୟ ସମୟରେ ମହିଳାଙ୍କୁ ପ୍ରାଥମିକତା ଦେଇ ଠିକ୍ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ସେମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଉପରେ ଅତିଥିମାନେ ମତ ରଖିଥିଲେ।
ବିପର୍ଯ୍ୟୟ ସମୟରେ ମହିଳା, ଶିଶୁ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ସୁରକ୍ଷା ସହ ଉଦ୍ଧାର, ଥଇଥାନ ଓ ରିଲିଫ୍ କାର୍ଯ୍ୟରେ ସେମାନଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସ୍ଥାନୀୟ ସ୍ତରରେ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି, ଜନସଚେତନତା ଓ ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ଆସନ୍ତା ୨୮ ଓ ୨୯ ତାରିଖରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଓ ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି। କର୍ମଶାଳାରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।