‘ସମାଜର ଉନ୍ନତିରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

କେସିଙ୍ଗା,୧ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କୋଣାର୍କ ସୂତାକଳ ପରିସରରେ ରବିବାର ଶ୍ରମିକ ଦିବସ
ପାଳିତ ହୋଇଛି। ସଭାପତି ଲିଙ୍ଗରାଜ ଆଜାଦଙ୍କ ସଭାପତିତ୍ୱରେ ପାଳିତ ଉକ୍ତ ଦିବସରେ ଉପସଭାପତି ସୁରେଶ ରାଓ, ଜନାଥନ ନାଏକ, ସଂଯୁକ୍ତ ନାୟକ,ପବିତ୍ର ବାଇକ, ଅମରେଶ ସେଠୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏଥିରେ ସମାଜର ଉନ୍ନତି ଓ ନିର୍ମାଣରେ ଶ୍ରମିକମାନଙ୍କ ଭୂମିକା ଏବଂ ଶ୍ରମିକମାନେ ଚଳିତ ଦିନରେ କିପରି ତାଙ୍କର ନ୍ୟାୟ ହକ୍‌ ଠିକ ଭାବେ ପାଇ ପାରିବେ ଓ ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ଥିବା ବିଭିନ୍ନ ସରକାରୀ ଯୋଜନା କିପରି ଠିକ୍‌ ଭାବେ ଶ୍ରମିକମାନେ ସୁବିଧା ପାଇବେ ସେ ନେଇ ବିଷଦ ଭାବେ ଆଲୋଚନା ହୋଇଥିଲା। ଆଗାମୀଦିନରେ ସରକାର ଶ୍ରମିକମାନଙ୍କ ପ୍ରତି କରୁଥିବା ଅବହେଳା ବିରୋଧ ଲଢ଼େଇ ହୋଇପାରିବ ତା’ ଉପରେ ସଭାପତି ଲିଙ୍ଗରାଜ ଆଜାଦ ଆଲୋକପାତ କରିଥିଲେ। କୋଣାର୍କ ସୂତାକଳ କିପରି ଚାଲିବ ସେ ନେଇ ସରକାରଙ୍କ ଧ୍ୟାନ ଆକର୍ଷଣ କରିବାରେ ଶ୍ରମିକଙ୍କ ଭୂମିକା ଓ କୋଣାର୍କ ସୂତାକଳ ଚାଲିଲେ ଅଞ୍ଚଳର ଚାଷୀଠୁ ଆରମ୍ଭ କରି ସମସ୍ତ ବର୍ଗ ଲାଭାନ୍ବିତ ହେବ, ଏବଂ ଅଞ୍ଚଳର ବିକାଶ ଘଟିବା ସହିତ ଅଞ୍ଚଳରେ କୋଣାର୍କ ସୂତାକଳ ପୂର୍ଣ୍ଣାଙ୍ଗ ନ ଚାଲିବା ପର୍ଯ୍ୟନ୍ତ ଅଞ୍ଚଳର ବୁଦ୍ଧିଜୀବୀ ବ୍ୟକ୍ତିବିଶେଷମାନଙ୍କୁ ନେଇ ଲଢ଼େଇ ଅହରହ ଜାରି ରଖାଯିବ ବୋଲି ଉପସଭାପତି ସୁରେଶ ରାଓ ଚେତାବନୀ ଦେଇଥିଲେ।